Wq/or/ଶ୍ରୀ ଜଗନ୍ନାଥ ଭଜନ/ବଳରାମ ଦାସ

From Wikimedia Incubator
< Wq‎ | or

ଦୀନବାନ୍ଧବ ହେ[edit | edit source]

(ବଳରାମ ଦାସ)

ଦୀନବାନ୍ଧବ ହେ, ମୋ ଦୁଃଖ ନଗଲା ଯେ
ତୁମ୍ଭେ ଦୀନବନ୍ଧୁ ମୋତେ ପାଶୋରିଲେ ମୋ ବନ୍ଧୁ ହୋଇବ କିଏ।।

ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ମଥାରେ ଦେଇ
ତୁଳସୀ ଚଉରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ।।୧।।

ଚୂଳର ଉପରେ ସେବତୀର ଗଭା ଦେଖିଲେ ମାଡଇ ଭୟେ
ଦୀନବନ୍ଧୁଠାରେ ବିପତ୍ତି ନଥାଇ ଯେଣେ ଯାଉଥିଲେ ଜୟେ।।୨।।

ଦୀନବନ୍ଧୁ ବୋଲି ଯାହାଙ୍କୁ ବୋଲନ୍ତି ସେହିସେ ପରମ ଯୋଗୀ
ଯୋଗୀମାନଙ୍କର ଆତଙ୍ଗ ନାଶନ ଦୁଃଖିମାନଙ୍କର ଭୋଗୀ।।୩।।

ଆଦି ଅନାଦିରେ ବନ୍ଧନ ପଡିଛି ମାୟା ମୋହଲାଗି ଧନ୍ଦ
ଶୂନ୍ୟ ପୁରୁଷ ଯେ ଶୂନ୍ୟରେ ଯାଉଛି କୱରୀ ପଡିବ ବନ୍ଦ।।୪।।

ଏ ଭବସାଗରୁ ତରିବା ନିମନ୍ତେ ପଥର ବାନ୍ଧିଛି ଭେଳା
ତୁମ୍ଭେ ନ ରଖିଲେ ଭାସି ମୁଁ ଯାଉଛି ରଖ ରଖ ଚକାଡୋଳା।।୫।।

ଭଗତ ଭାବରୁ ପ୍ରସନ୍ନ ହେବାରୁ ଭାବ ବିନୋଦିଆ ଯେଣୁ
ବଳରାମ ଦାସ ଅନ୍ନ ନ ମାଗଇ ମାଗଇ ଚରଣ ରେଣୁ।।୬।।