Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୮

From Wikimedia Incubator
ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୨୮

କବୀର ଦୋହା ଗୁଚ୍ଛ ୨୮ [1][edit | edit source]

ସମସ୍ତ କର୍ମ କାମନା ଯୁକ୍ତ, ଭକ୍ତିର କର୍ମ ନିଷ୍କାମ,
କବୀର କହେ ଡାକି ସଭିଙ୍କୁ, ଭକ୍ତି କରିବା ତୋ କାମ ।୧।

ଏହି ଘରଟି ପ୍ରେମର ଘର, ନୁହେଁ ତୋ ମାଇଁର ଘର,
ମୁଣ୍ଡ କାଟି ତୁ ଭୁମିରେ ପକା, ତେବେ ପଶିବୁ ଭିତର ।୨। (ମୁଣ୍ଡ- ଗର୍ବ)

ପ୍ରେମ ଫଳେନି ବାଡିରେ କେବେ, ହାଟରେ ବିକ୍ରି ନ ହୁଏ,
ରାଜା ପରଜା ଯାହାକୁ ରୁଚେ, ମୁଣ୍ଡ ଦେଇ ନେଇ ଯାଏ ।୩।

ପ୍ରେମ ପିଆଲା ପିଇଲେ ମୁଣ୍ଡ ଦକ୍ଷିଣା ଦେବାକୁ ହୁଏ,
ଲୋଭୀ ଦକ୍ଷିଣା ନ ଦେଇ ପାରି, ପ୍ରେମ ଭରା ନାମ ନିଏ । ୪।

କ୍ଷଣକେ ଚଢେ, କ୍ଷଣେ ଓହ୍ଲାଏ, ଏହାକୁ ପ୍ରେମ ନ କହି,
ଅନନ୍ତ ପ୍ରେମ ହୃଦରେ ଥିଲେ, ପ୍ରେମ ତାହାକୁ ହିଁ କହି ।୫।

ଶତ ଯୋଜନ ଦୂରରେ ଥାଇ ବି ରହେ ହୃଦୟ ଭିତର,
କପଟୀ ସେହି ଘରେ ରହି ବି ରହି ଯାଏ ସିନ୍ଧୁ ପାର ।୬।

ତୁମର ମୋର ତତ୍ତ୍ଵ ସମାନ, ଦୁଇ ଦେହ ଏକ ପ୍ରାଣ,
ତୁମ ମନରେ ଜାଣି ପାରିବ, ମୋ ମନ ଗୁପ୍ତ ଚିନ୍ତନ ।୭।

ପ୍ରଭୁଙ୍କ ପ୍ରେମ ଦ୍ରବଣ ହୋଇ ମିଶି ଯାଇଛି ମନରେ,
ପ୍ରତି ଲୋମ ମୋ ପ୍ରଭୁଙ୍କୁ ଭଜେ, କହେନି କିଛି ମୁଖରେ ।୮।

ପ୍ରେମର ରସ ପିଇବୁ ଏଣେ ରଖିବୁ ନିଜର ମାନ,
ଏକ ଖୋଳରେ ଦୁଇଟି ଖଣ୍ଡା ରହିଛି, ଶୁଣିନି କାନ ।୯।

କବୀର ପ୍ରେମ ପିଆଲା ପିଇ, ଅନ୍ତରେ ଦେଲା ମିଶେଇ,
ସଞ୍ଚରି ଗଲା ପ୍ରତି ଲୋମରେ, ଔଷଧ କିଏ ବା ଖାଇ ।୧୦।

କବୀର, ଗୁରୁ ରସ ପିଇଛି, ମରିଛି ଶୋଷ ଓ ଭୋକ,
କୁମ୍ଭାର ପୋଡା କଳସ କେବେ, ପୁନଶ୍ଚ ଚଢେନି ଚକ ।୧୧।

ନାମ ନିଶାରେ ମୁଁ ନିଶାଖୋର, ପିଇଛି ପ୍ରେମ ସରାବ,
ଟିକେ ଦର୍ଶନ ପାଇଁ ପାଗଳ, ମୁକ୍ତି କଥା କିଆଁ ଭାବ ।୧୨।

କଠିନ କର୍ମ ପରେ ମିଳନ୍ତି, ବିଚ୍ଛେଦ ନୋହୁ କାହାର,
ବିଚ୍ଛେଦ ପରେ ମିଳେ ତାହାକୁ, ମୁଣ୍ଡରେ ମଣି ଯାହାର ।୧୩।

ଆଧାର[edit | edit source]

  1. http://anahad-naad.blogspot.in/2011/06/kabirs-dohe-3.html