Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୦
କବୀର ଦୋହା ଗୁଚ୍ଛ ୨୦ [1]
[edit | edit source]ଦିନରେ ସୁଖ, ନା ରାତିରେ ସୁଖ, ସ୍ଵପ୍ନରେ ବି ସୁଖ ନାହିଁ,
ରାମ ବିରହ ଯେ ଲୋକ ଭୋଗେ,ତାହାର କି ଖରା, ଛାଇ ।୧।
କବୀର ନିଜେ ଠକି ହୁଅ ତୁ, ଠକନି ଅନ୍ୟ କାହାକୁ,
ଠିକିଲେ ସୁଖ ମିଳି ପାରିବ, ଠକିଲେ ଦୁଃଖ ନିଜକୁ । ୨।
ଉଦର ଅନୁପାତରେ ଅନ୍ନ, ତନୁ ଅନୁପାତେ ବସ୍ତ୍ର,
ଆବଶ୍ୟକଠୁ ବେଶୀ ନ ନିଏ, ତାହାର ନାମ ଫକୀର ।୩।
ବାହୁ ବନ୍ଧନେ ହୋଇଛି ବନ୍ଧା, ଗୋଟିଏ ବିଚରା ଜୀବ,
ବନ୍ଧନ ମୁକ୍ତ ପ୍ରଭୁ ନକଲେ, ନିଜ ବଳରେ କି ହେବ ।୪।
ସମ୍ପୁର୍ଣ୍ଣ ଗୁରୁ ସେବା କରିଲେ , ସର୍ବ ବିଧି ପୂର୍ଣ୍ଣ ହୁଏ,
ଅଧମ ଗୁରୁ ସେବା କରିଲେ, ମୂଳ ମଧ୍ୟ ଚାଲି ଯାଏ ।୫।
କାମନା ଥିଲେ ନାମ ରହେନି, ନାମ ଥିଲେ ନାହିଁ କାମ,
ରବି, ରଜନୀ କେବେ ହେଲେବି ନ ରହନ୍ତି ଏକ ଧାମ ।୬।
ବାସନା କଥା କହନ୍ତି ସବୁ, ଚିହ୍ନନ୍ତିନି କେହି ତାକୁ,
ମନର ଯେତେ ଉଗ୍ର କଳ୍ପନା, ବାସନା କହନ୍ତି ତାକୁ ।୭।
ମିଠା ବଚନ ଔଷଧ ସମ, କଟୁ କଥା ସମ ତୀର ,
କର୍ଣ୍ଣ ଦ୍ଵାରରୁ ସଞ୍ଚରି ଯାଏ, ପୀଡା ସମସ୍ତ ଶରୀର ।୮।
ଆଦର ଯାଏ, ସମ୍ମାନ ଯାଏ, ଚକ୍ଷୁରୁ ସ୍ନେହ ବିଦାୟ,
ଏହି ତିନିହେଁ ଚାଲି ଯାଆନ୍ତି , ଯଦି କହ କିଛି 'ଦିଅ ' ।୯।
ଅମୃତକୁ ମୁଁ ପୋଟଳି କରି, ଶିର ପରେ ରଖେ ଧରି,
ଯାହାକୁ କହେ ଏହି କଥା ମୁଁ, କହେ ମୋତେ ଦୂରାଚାରୀ ।୧୦।
'ମାନ ବଡିମା' ଜଗତ ମଧ୍ୟେ ଶ୍ଵାନ ସମ ତାକୁ ଜାଣି,
'ମିତ' କହିଲେ ମୁଖ ଚାଟେ ସେ, ଶତୃ କଲେ ତନୁ ହାନି ।୧୧।
ପ୍ରଭୁତା ଭଜନ କରନ୍ତି ସବୁ, ପ୍ରଭୁ ଭଜନ୍ତିନି କେହି,
କବୀର କହେ, ପ୍ରଭୁଙ୍କୁ ଭଜ, ପ୍ରଭୁତା ଭୃତ୍ୟ ବୋଲାଇ ।୧୨।
କପଟୀ ମିଶେ ସଭିଙ୍କ ସାଥେ, କୁଟିଳ କଠୋର ମନ,
ଏକ ଦୁର୍ଜନ, ଏକ ଦର୍ପଣ, ଆଗ ପଛ ଅସମାନ ।୧୩।
ନାମର ଆଶା ରଖ କେବଳ, ନିରାଶା ଆଶା ଅନ୍ୟର,
ଜଳାଶୟରେ ଘର ଥିଲେ ବି ଶୋଷରେ ମରିବା ସାର ।୧୪।
ଲୋଭ, ଡାଙ୍କୁଣୀ ଏକ ସମାନ, କରାଏ କାଳ କବଳ,
ମାଗେ ଆହୁରି ନିଶି ଦିବସ, ପ୍ରାଣ କରେ କଲବଲ ।୧୫।