Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୨
କବୀର ଦୋହା ଗୁଚ୍ଛ ୧୨ [1]
[edit | edit source]ସଂସାର ସୃଷ୍ଟି କରିଛି ଯିଏ, କେହି ତାଙ୍କୁ ଚିହ୍ନି ନାହିଁ,
ଯେଉଁ ଚକ୍ଷୁରେ ଦେଖ ସମସ୍ତ, ତାଙ୍କୁ ଦେଖି ପାର ନାହିଁ । ୧।
ପ୍ରିୟର ଲାଲି ଶକ୍ତି ଏପରି, ଚାରି ଦିଗେ ଦିଶେ ଲାଲ,
ସେହି ଲାଲିମା ଦେଖିଲା ପରେ, ନିଜେ ହୋଇଗଲି ଲାଲ । ୨।
ସମସ୍ତ ରସ ଚାଖିଛି ମୁହିଁ, ନାହିଁ ରାମ ରସ ସମ,
ରତିଏ ଦେହେ ସଞ୍ଚରି ଗଲେ, ଶରୀର କାଞ୍ଚନ ସମ ।୩।
ପୋଥୀ ପଢି ପଢି ସମସ୍ତେ ଗଲେ, କେହି ହେଲେ ନାହିଁ ଜ୍ଞାନୀ,
ଅଢେଇ ଅକ୍ଷର ପ୍ରେମର ଭାଷା, ଯେ ବୁଝି ପାରେ ସେ ଜ୍ଞାନୀ ।୪।
କହେ କବୀର କରି ନାହିଁ ମୁଁ ସଂସାରେ କୌଣସି କର୍ମ,
ସାଥୀର ପ୍ରୀତି ମିଳିଛି ଯାହା ସବୁ ସେ ରାମଙ୍କ ଧର୍ମ ।୫।
ଚକ୍ଷୁ ଭିତରେ ପଶିଲେ ତୁମେ, ପତା ବୁଜି ଦେବି ମୁହିଁ,
ଦେଖାଇ ଦେବିନି ଆଉ କାହାକୁ, ମୁଁ ମଧ୍ୟ ଦେଖିବି ନାହିଁ ।୬।
ଦଶ ଦ୍ଵାରର ପିଞ୍ଜରା ଏହା, ପକ୍ଷୀ ପ୍ରାଣ ବାୟୁ ରହି,
ରହିଲେ ସେହି ଆଶ୍ଚର୍ଯ୍ୟ କଥା, ବିଦାୟେ ଆଶ୍ଚର୍ଯ୍ୟ ନାହିଁ ।୭।
ବିରହ ସର୍ପ ଦେହରେ ରହି କଲିଜାରେ କରେ ଘାଆ,
ସାଧୁ ସେ କଷ୍ଟ କେବେ କହେନି ଯେତେ ଇଚ୍ଛା ସେତେ ଖାଆ । ୮।
ରଙ୍ଗ ବେରଙ୍ଗୀ ତାରର ବାଦ୍ୟ, ବିରହ ବଜାଏ ନିତି,
ମୋହର ପ୍ରଭୁ ଓ ମୋ ବ୍ୟତୀତ, କେହି ଶୁଣି ନ ପାରନ୍ତି ।୯।
ଯାଇ ନ ପାରେ ତୁମ ପାଖକୁ, ଡକେଇ ମୁଁ ବି ନ ପାରେ,
ଏମିତି ପ୍ରାଣ ଯିବାକୁ ଦିଅ, ସିଝି ସିଝି ବିରହରେ ।୧୦।