Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୦

From Wikimedia Incubator
< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୧୦

କବୀର ଦୋହା ଗୁଚ୍ଛ ୧୦[1][edit | edit source]

ମାଗିବା ଅଟେ ମରଣ ସମ, ମାଗ ନାହିଁ କେହି ଭିକ୍ଷା,
ମାଗିବାଠାରୁ ମରଣ ଭଲ, ସଦ୍ ଗୁରୁଙ୍କ ଏ ଶିକ୍ଷ୍ୟା ।

ମାୟା ମରେ ନା ମାନସ ମରେ, ମରେ ସମସ୍ତ ଶରୀର,
ଆଶା ମରେନି ନା ତୃଷ୍ଣା ମରେ, କହନ୍ତି ଦାସ କବୀର ।

କବୀର ମନ ଅତି ନିର୍ମଳ, ଯେପରି ଗଙ୍ଗାର ନୀର,
ଚାଲନ୍ତି ଲୋକ ତାଙ୍କ ପଛରେ, ଡାକି କବୀର କବୀର ।

ଜୀବନେ ଦେଖି ଜୀବନେ ବୁଝି , ରଖ ମୁକ୍ତି ଅଭିଳାଶ,
ମୃତ୍ୟୁ ପଶ୍ଚାତ୍ କାହିଁକି ଆଶା, ନ କାଟି କର୍ମର ଫାଶ ।

ଅବର୍ଣ୍ଣନୀୟ ପ୍ରେମ କାହାଣୀ, ସେ କଥା କହି ନ ହୁଏ,
କହି ନ ପାରି ଶର୍କରା ସ୍ୱ।ଦ, ଘୁଙ୍ଗା ମିଠା ହସୁଥାଏ ।

ଡାଙ୍କୁଣୀ ସମ ଚିନ୍ତାର କାମ, କାଟି ଖାଏ କଲିଜାକୁ,
ଏ ରୋଗେ ବୈଦ୍ୟ ଉପାୟ ଶୁନ୍ୟ, କାଟେନି ଔଷଧ ତାକୁ ।

କବୀର ଗର୍ବ କରନି ଆଉ, ଦେଖି ତୋ ଉଚ୍ଚ ଆବାସ,
ଭୂମି ଭିତରେ ଶୋଇବୁ କାଲି, ଉପରେ ଜମିବ ଘାସ ।

କବୀର ଗର୍ବ କରନି କାଳ ଧରିବ କହାର କେଶ,
ମାରେ କେଉଁଠି ଅଜଣା ସ୍ଥାନ, ଦେଶ ଅବା ପରଦେଶ ।

କବୀର, କଲା କର୍ମ ଫଳେନି, ନ କଲେ ବି ସବୁ ହୁଏ,
କର୍ମର ଫଳ ମିଳୁଛି ଯଦି, କରେ ନିଶ୍ଚେ ଅନ୍ୟ କିଏ ।

ଧରା ଧାମକୁ ଆସି ତୁ କାନ୍ଦୁ, ଲୋକଙ୍କ ମୁହଁରେ ହସ,
କର୍ମ ଏମିତି କରି ଫେରିଯା, ପଛେ ନୋହୁ ଥଟ୍ଟା ହସ ।

ପ୍ରଥମେ ଜଳେ ବିରହ ଅଗ୍ନି, ତା ପରେ ପ୍ରେମର ଆଶା,
କବୀର କହେ ମେଣ୍ଟିବ ତେବେ ପ୍ରଭୁ ମିଳନର ଆଶା ।

ଅଗ୍ନି ଲାଗିଲେ ସମୁଦ୍ର ମଧ୍ୟେ, ପ୍ରକଟ ହୁଏନି ଧୁଆଁ,
ଜଳିଛି ଯିଏ ସେହି କେବଳ, ଅନୁଭବେ ପ୍ରେମ ନିଆଁ ।

ଆଧାର[edit | edit source]

  1. https://web.archive.org/web/20120903114105/http://www.boloji.com/index.cfm?md=Content&sd=KabirDoha