Wq/or/କବିତା/ ସନ୍ଥ କବୀର/୩୭: ସୂର୍ଯ୍ୟ ପ୍ରକାଶ ହେଲେ ତିମିର

From Wikimedia Incubator
< Wq‎ | or‎ | କବିତା/ ସନ୍ଥ କବୀର ସନ୍ଥ କବୀର > ୩୭: ସୂର୍ଯ୍ୟ ପ୍ରକାଶ ହେଲେ ତିମିର

ସୂର୍ଯ୍ୟ ପ୍ରକାଶ ହେଲେ ତିମିର[1][edit | edit source]

ସୂର୍ଯ୍ୟ ପ୍ରକାଶ ହେଲେ ତିମିର କେମିତି ରହି ପାରିବ ?
ଯଦି ଏ ରାତି ତେବେ ତ ସୂର୍ଯ୍ୟ ଆଲୋକ ଫେରାଇ ନେବ ।

ଜ୍ଞାନ ଦେଖିଲେ ଅଜ୍ଞାନ କେବେ ସହି ତ ପାରିବ ନାହିଁ,
ଅଜ୍ଞାନ ଯଦି ଅଛି କେଉଁଠି, ଜ୍ଞାନ ସେଠି ମୃତ ରହି ।

କାମନା ଥିଲେ ଭକ୍ତି କେବେ ବି ରହି ତ ପାରିବ ନାହିଁ,
ଭକ୍ତି ରହିଛି ଯେଉଁ ସ୍ଥାନରେ କାମନା ରହିବ ନାହିଁ ।

ଖଡ୍ଗ ଧରି ତୁ ଯୁଦ୍ଧକୁ ଯାଅ, ସୈନ୍ୟ ହୋଇ ଯୋଗ ଦିଅ,
ପ୍ରାଣ ରହିଛି ଯେଉଁ ପର୍ଯ୍ୟନ୍ତ, ଯୁଦ୍ଧ ତୁମେ କରୁଥାଅ ।

ଶତୃର ମୁଣ୍ଡ କାଟିବ ଶୀଘ୍ର, ଅନ୍ତା କରିବ ତାହାର,
ସେଠାରୁ ଫେରି ମଥା ଲୋଟିବୁ ଯାଇ ରାଜା ଦରବାର ।

କହନ୍ତି ବୀର ଯେ ପଛଘୁଞ୍ଚା ଦିଏନି ଯୁଦ୍ଧ କ୍ଷେତ୍ରରୁ,
ପଳାୟନ ଯେ କରେ ତାହାକୁ କହନ୍ତି ସମସ୍ତେ ଭୀରୁ ।

ସେହିଭଲି ଏ ଶରୀର ମଧ୍ୟେ ଲାଗିଛି ଅନନ୍ତ ଯୁଦ୍ଧ,
ବିପକ୍ଷେ ରହେ ବିଷୟ ତୃଷ୍ଣା, କାମନା, ଗର୍ବ ଓ କ୍ରୋଧ ।

ସତ୍ ପବିତ୍ର ସୁଖୀ ରାଜ୍ୟ ହିଁ ସର୍ବଦା ଯୁଦ୍ଧର ଧାମ,
କରିବ ଯୁଦ୍ଧ ଯେଉଁ ଖଡ୍ଗରେ କହନ୍ତି ତାହାକୁ 'ନାମ' ।

କବୀର କହେ ସାହସୀ ଯେବେ ହୁଏ ଯୁଦ୍ଧ ସେନାପତି,
ସେଠାରେ ଯେତେ ଭୀରୁ ଥାଆନ୍ତି, ଯୁଦ୍ଧରୁ ଫେରି ଯାଆନ୍ତି ।

ସତ୍ୟ ସନ୍ଧାନ ପ୍ରତିଜ୍ଞା ରକ୍ଷା, ଅତୀବ କ୍ଳାନ୍ତି ଦାୟକ,
ସ୍ଵାମୀ ଚିତାରେ ବିଧବା ପତ୍ନୀ କଷଣଠାରୁ ଅଧିକ ।

କେତେକ ଘଣ୍ଟା ଯୋଦ୍ଧାର କଷ୍ଟ, ବିଧବାର କିଛି କ୍ଷଣ,
ସତ୍ୟ ସନ୍ଧାନୀ ମୃତ୍ୟୁ ପର୍ଯ୍ୟନ୍ତ ଭୋଗୁଥାଏ ସେ କଷଣ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir