Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ଭକ୍ତ ଚରଣ ଦାସ

From Wikimedia Incubator
< Wq‎ | or

କହଇ ମନ ଆରେ[edit | edit source]

(ଭକ୍ତ ଚରଣ ଦାସ)

କହଇ ମନ ଆରେ ମୋ ବୋଲ କର
କଳାଶ୍ରୀ ମୁଖବାରେ ଦେଖିବା ଚାଲରେ
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟ ରେ।।୧।।

ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟିରେ
ଖଟ ପଲଙ୍କେ ମନ ଶେଯାଇ ଶୋଉ
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ରେ।।୨।।

ଗଲେଣି ତୋ ସଙ୍ଗରୁ ଯେତେକ ଜନ
ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ରେ
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ
ଗାଢେ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ରେ।।୩।।

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ରେ
ଘର ଘରଣୀ ଦେହ କିଳାଉ ଥିବ
ଘେନି ଜ୍ଞାତି କୁଟୁମ୍ବ ଶୁଦ୍ଧ ହୋଇବ ରେ।।୪।।

ଉଦ୍ଧାର ହେବୁ ଯେବେ ଭଵସାଗରୁ
ଉପାୟ କରି ଏବେ ଭଜ ଶ୍ରୀଗୁରୁ ରେ
ଊଣା ହେଉଛି ଦିନୁଁ ଦିନ ଆୟୁଷ
ଆଉ ଏଣିକି ଅଛି କେତେ ବୟସ ରେ।।୫।।

ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର
ଚିରି ଭିତର ଦେଖ କି ନାରଖାରରେ
ଚର୍ମ ଘେରିଛି ସିନା ଚଉରାଶିକି
ଚିତ୍ତ ତୁ ଦିଅ ନୀଳଗିରି ବାସୀଙ୍କି ରେ।।୬।।

ଛାର ଦେହକୁ ମନ କରୁ ତୁ ସଜ
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ରେ
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା
ଛ'ଖଣ୍ଡ କାଠ ତୋର ହୋଇବ ଲୋଡ଼ା ରେ।।୭।।

ଯମ ଯେ ନ ଜାଣଇଁ ବାଳୁତ ଯୁବା
ଜୀଇବୁ ବୋଲି ମନ କରିଛୁ ଅବାରେ
ଜଣେହେଁ ଏଥି କେହି ନାହିଁ ଅମର
ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ରେ।।୮।।

ଝୋଲା କନ୍ଥା ପାଛୋଡା ପିନ୍ଧାକୁ ରସୁ
ଝାଡ଼ ସଂସାରେ ମନ ଝସାଇ ପଶୁରେ
ଝୁଣ୍ଟି ପଡିଲେ ଉଠି ପାରିବୁ ନାହିଁ
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ରେ।।୯।।

ନିଶି ଦିବସେ ଥୟ ନୋହୁ ନା ମନ
ନିଦ୍ରାରେ ଦେଖୁଅଛୁ ଯଥା ସପନରେ
ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା
ନାମ ମାତ୍ର ଅଟଇ ପଥକୁ ସଖା ରେ।।୧୦।।

ଟାଣ କରିଛୁ ମନ ସବୁ ମୋହର
ଟଳି ପଡିଲେ କେହି ନୋହେ କାହାର ରେ
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ
ଟୋପ ଚଉରା ଅଛି ତୋ' ଦେହେ ପୂରି ରେ।।୧୧।।

ଠିକେ ମୁଁ କହୁଅଛି କର ମୋ କଥା
ଠିକେ ତୋ ଦେହେ ଅଛି ଶୂନ୍ୟ ଦେଵତାରେ
ଠକି ଯିବୁଟି ଠିକ ମୁଣ୍ଡ ପଡିଲେ
ଠିକେ ଗୁରୁଙ୍କ ସେବା କର ତୁ ଭଲେ ରେ।।୧୨।।

ଡ଼ାକି କହୁଛି ମନ ଭଜ ଗୋବିନ୍ଦ
ଡର ଜଞ୍ଜାଳ ଯାଉ ତୋହର ହୃଦରେ
ଡ଼ଙ୍ଗା ଯେହ୍ନେ ଜଳରେ ଚାହାଁ ପଛକୁ
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ ରେ।।୧୩।।

ଢୋଲ ଯେସନ ଢାଉଁ ଢାଉଁ ବାଜଇ
ଢାଳେ ତହିଁ ଭିତରେ କିଛି ହିଁ ନାହିଁରେ
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ
ଢଳି ପଡିଲେ ସବୁ ହେବଟି ମିଛ ରେ।।୧୪।।

ଏଣେ ତୁ ଦେଇଥିଲେ ତେଣେ ପାଇବୁ
ଅଣ ଆୟତ୍ତ ବେଳେ କି ଘେନି ଯିବୁରେ
ଅଣ ନିଃଶ୍ଵାସୀ ହୋଇ ରହିବୁ ଦିନେ
ଅନେକ ଦୁଃଖ ଦେବେ ଯମ ଭୁବନ ରେ।।୧୫।।

ତୁ ଯେବେ ବୋଲୁ ମୋର ଅର୍ଜିଲା ଧନ
ତୋ ଦେହ ନୋହେ ତୋର ଦେଖ ଏମାନ ରେ
ତୋହରି ସଙ୍ଗୁ ମନ ଗଲେଣି କେତେ
ତୁ ମିଥ୍ୟା କଥାକୁ ନଯାଉ ପରତେ ରେ।।୧୬।।

ଥିଲେ ଏ ସଂସାରରେ ଯେତେ ନୃପତି
ଥୟ କରି କେ ଭୋଗ କଲା ଏ ପୃଥିରେ
ଥୋଇଲା ଧନ ତୋର ଖଣ୍ଟ ଖାଇବେ
ଥାନ ତୋହରି ଘର କରି ରହିବେ ରେ।।୧୭।।

ଦେହେ ପୂରିଛି ତୋର ଅଶେଷ ରୋଗ
ଦିନ ଚାରିକି ସିନା ଏ ସୁଖ ଭୋଗ ରେ
ଦଣ୍ଡେହେଁ କେହି ତୋତେ ରଖିବେ ନାହିଁ
ଦଣ୍ଡୁ ଯେ ଥିବେ ଯମ-ଡ଼ଗର ନେଇ ରେ।।୧୮।।

ଧର୍ମ ଅଧର୍ମ କଥା ନ ଜାଣୁ ତୁହି
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ରେ
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ
ଧର୍ମରେ ଆତଯାତ ହେଉଛି ମହୀ ରେ।।୧୯।।

ନିନ୍ଦିତ କର୍ମ କଲେ ନିନ୍ଦା ପାଇବୁ
ନରକେ ପଡ଼ି କେତେ ଦୁଃଖ ସହିବୁ ରେ
ନିମିଷେ ମାତ୍ର ମୁଖେ ନ ବୋଲୁ ହରି
ନାଶ ହେତୁକୁ କିପାଁ ଅଛୁ ଆବୋରି ରେ।।୨୦।।

ପାହିଲେ ନିଶି ଯେହ୍ନେ ରବି ଉଦ ଏ
ପଦ୍ମଲୋଚନ ସବୁ ଦେହେ ରଜ ଏ ରେ
ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ
ପାଦପଦ୍ମରେ ଚିତ୍ତ ଦିଅତୁ ଏବେ ରେ।।୨୧।।

ଫୁଲୁ ଗନ୍ଧ ହରିଲା ପ୍ରାୟେ ସମୀର
ଫିଟି ପଳାଇ ଯିବ ଜୀବ ତୋହର ରେ
ଫଳ ସଂସାରେ ଲାଭ ହରି ଭଜନ
ଫାଶ ଗଳାକୁ କିପାଁ କରିଛୁ ଧନ ରେ।।୨୨।।

ବେଳକୁ ବେଳ ତୋତେ କହୁଛି ମୁହିଁ
ବାନ୍ଧିଣ ନେବ ଯମ କି ଦୁଃଖ ଦେଇରେ
ବିକଳେ କାନ୍ଦୁଥିବୁ ଆକୁଳ ହୋଇ
ବେଳହୁଁ ଆଶ୍ରେ କରି ଭଜ ଗୋସାଇଁ ରେ।।୨୩।।

ଭେଳା ବୁଡ଼ିବ ହେଳା କଲେ କହୁଛି
ଭଙ୍ଗା ନାବରେ ନେବା ସିନ୍ଧୁ ତରିଛି ରେ
ଭାବକୁ ନିକଟ ସେ ଅଭାବେ ଦୂର
ଭକତ ଦାସ କହେ ଜୀଵନ ଛାର ହେ।।୨୪।।

ମିଛ ମାୟା ସଂସାର ନୋହେ କାହାରି
ମଲା ବୋଲିଣ ଦିନେ ପଡ଼ିବ ହୁରି ରେ
ମହୀ ଭିତରେ କେହି ରହିବେ ନାହିଁ
ମଲା ବୋଲି କାନ୍ଦୁଛୁ ମରିବୁ ତୁହିରେ।।୨୫।।

ଜନମ ହେଲେ ପ୍ରାଣୀ ଅବଶ୍ୟ ମରି
ଯଶ ରଖିବୁ ଯେବେ ଭଜ ଶ୍ରୀହରିରେ
ଯମ ଯେ ନେବ ବାନ୍ଧି ହେବୁ ମେଲାଣି
ଜଗନ୍ନାଥ ମହିମା ଏଣିକି ଆଣି ରେ।।୨୬।।

ରଙ୍ଗା ପସରା ସିନା ଭବସାଗର
ରଙ୍ଗ ଭିତରେ ଅଛି କି ନାରଖାର ରେ
ରୂପ ପ୍ରତିମାକୁ ତୁ ପରତେ ନ ଯା
ରହିବେ ନାହିଁ କେହି ରଜା ପରଜା ରେ।।୨୭।।

ଲୋଚନେ ଦେଖି କର୍ଣ୍ଣେ ଶୁଣୁଛି ନିତି
ଲୋଭ କରି ଅର୍ଜିଲୁ ଧନସଂପତ୍ତି ରେ
ଲୋଭଟି ସବୁନାଶ କରଇ ମନ
ଲୋଡ଼ିଲେ ନପାଇବୁ ଆଉ ଜୀଵନ ରେ।।୨୮।।

ବିଅର୍ଥେ ବହିଅଛୁ ଦୁର୍ଲଭ ଦେହ
ବିଷୟା ବିଷେ ଆଉ ନବଳା ସ୍ନେହରେ
ବୁଡି ଯିବଟି ମୂଳ ଲୋଭ ସରିବ
ବେଳହୁଁ ଆଶ୍ରେ କରି ଭଜ ମାଧବ ରେ।।୨୯।।

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ମନ
ସରିଲେ ନପାଇବୁ ଆଉ ଜୀବନରେ
ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଧ୍ୟାନ ରେ।।୩୦।।

ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ
ସଂସାରେ ପଡ଼ି ଆଉ ନପାଅ ଲାଜ ରେ
ସବୁଟି ମିଛ ହରି ନାମଟି ସତ
ଶ୍ରୀକୃଷ୍ଣ ପାଦ ପଦ୍ମେ ଦିଅତୁ ଚିତ୍ତ ରେ।।୩୧।।

ସତ୍ୟ ମଣୁଛୁ ତୁହି ଭବ ସାଗର
ସରି ଯାଉଛି ପରମାୟୁ ତୋହର ରେ
ସନ୍ତୋଷ ହୋଇ ଦୃଢେ ଭଜ ଶ୍ରୀହରି
ଶୋକ ସାଗରୁ ଯେବେ ହୋଇବୁ ପାରି ରେ।।୩୨।।

ହୁଡ଼ିଲେ ଯେତେ ଜନ ହରିନାମକୁ
ହୀନଗତିକି ଗଲେ ବୁଡି ତଳକୁ ରେ
ହଜିଲେ ଦେହ ଆଉ ପାଇବୁ ନାହିଁ
ହାଟ ବସାଇ ଥିବେ ତୋ ଦେହ ପାଇଁ ରେ।।୩୩।।

କ୍ଷୟ ଦୁର୍ଲଭ ଦେହ ହୋଏ ଆୟୁଷ
କ୍ଷୟ ନଯିବ ନାମ ହୃଦରେ ଘୋଷ ରେ
ଛାର ଦେହକୁ ମନ ନଯା'ବିଶ୍ୱାସ
ଛାର ଦୁର୍ବୁଦ୍ଧି କହେ ଭକତ ଦାସ ରେ।।୩୪।।