Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ନିତ୍ୟାନନ୍ଦ ଦାସ
ପତିତ ଜନଙ୍କୁ[edit | edit source]
ପତିତ ଜନଙ୍କୁ_ ଉଦ୍ଧାରିବା ପାଇଁ
ଉଡାଉଅଛ ପତାକା
ବାହୁ ଟେକି ତୁମ୍ଭେ_ ବସି ଚାହୁଁ ଚାହୁଁ
ବିପତ୍ତି କରୁଛ ଡକା
ମହାପ୍ରଭୁ ହେ।।୦।।
ନାଶଗଲେ ତୁମ୍ଭେ_ ପରେ କି କରିବ
କରୁଣା ଭଣ୍ଡାର ଫେଇ
ଦୁଃଖୀ ଗଲେ ନାଶ_ ଅର୍ଜିବ କି ଯଶ
ପଛେ ଚଉଵର୍ଗ ଦେଇ
ମହାପ୍ରଭୁ ହେ।।୦୦।।
ଘୋର ନବଘନ ଥାଉଁ ଯେବେ ଦୀନ
ଚାତକ ଜୀଵନ ହରାଇବ
ସମୁଦ୍ରେ ବରଷି ଘୋର ଜଳରାଶି
ଚାତକ ବନ୍ଧୁ କି ବୋଲାଇବ।।୧।।
ମାଳତୀ-ବକୁଳ-ବିକଚ-କମଳ
ବନ ଥିବ ଅଳି ଯିବେ ମରି
ପୂର୍ଣ୍ଣ ସୁଧାକର ଅନାଇଁ ଚକୋର-
ମାଳିକା ଯେବେ ମରିବେ ଝୁରି।।୨।।
କଳ୍ପଲତା ତଳେ ଥାଇ ଯେ ମୁଁ ଫଳେ
ନିରାଶ ହୋଇବା କେଡେ ଲାଜ
ରତ୍ନାକର ହୋଇ ରତ୍ନରଙ୍କ ଯହିଁ
ଏ କଥା କେମନ୍ତେ ଦେବରାଜ।।୩।।
ଥାଉଁ ଗଙ୍ଗାକୂଳେ ପରାଣ ବିକଳେ
ତୃଷାରେ ଯେବେ ହରିବ ପରାଣ
ଦିନ ମଣି ଥିବ ଅନ୍ଧାର ହୋଇବ
ଏ କଥା ପ୍ରଭୁ ମନକୁ ଆଣ।।୪।।
ସାମନ୍ତ ଯେ ଚତୁର୍ଵର୍ଗ ଅଧିକାରୀ
ଲକ୍ଷ୍ମୀ ପରିଚାରୀ ଥିବେ ହୋଇ
ଏମନ୍ତ ସାମନ୍ତେ ଆଶା କରି ଭୃତ୍ୟ
ଭିକ୍ଷା ମାଗୁଥିବ ଦୁଃଖ ପାଇ।।୫।।
ଏଥୁ ଅଧିକ କି ଅଛି ଲୋକହସା
ଆଉ କି ରହିଲା ପ୍ରଭୁ ଆଣି
ଝମକିଲା ସିଂହ ପ୍ରାୟ ଝମକିବା
ବିଅର୍ଥ ଧାରିବା ଚକ୍ର ପାଣି।।୬।।
ଦୀନବନ୍ଧୁ ବୋଲି ନାମ ଯେ ବହିଛ
ଏହା ନ ଚେତକି ଭାବଗ୍ରହୀ
ଏବେ ଏ ନାମ ଏଣିକି ନ ବହିଵ
ଚକ୍ର ପରୁ ନେତ ଥୂଅ ନେଇ।।୭।।
ତେବେ ତୁମ୍ଭଙ୍କୁ କେ କାହିଁକି କହିବ
କର୍ମ ଆଦରି ସହିବ ଦୁଃଖ
ନିରାଶ ଜଳଧି ତୁମ ନାମ ସିଦ୍ଧି
ଜଗତରେ ବାଜିଯିବ ଡାକ।।୮।।
ଆଉ ଭୁବନରେ ଠାକୁର ଖୋଜିବା
ତୁମ୍ଭ ପରି କେହି ଥିଲେ ଜଣେ
ଦୁଃଖୀ ଲୋକଙ୍କର ଦୁଃଖ ହରୁଥିବେ
କୃପା ବିଲୋକନ ନେତ୍ରକୋଣେ।।୯।।
ସୁଦର୍ଶନ ନାମେ ଚକ୍ର ବହିଥିବେ
ଟେକି ବାହୁରେ ଦକ୍ଷିଣ କରେ
କହେ ନିତ୍ୟାନନ୍ଦ ଅପରାଧୀ ମନ୍ଦ
ମୋହର ଶରଣ ତାଙ୍କଠାରେ।।୧୦।।