Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ/ସାଲବେଗ
ଆହେ ନୀଳ ଶଇଳ....[edit | edit source]
ଆହେ ନୀଳ ଶଇଳ ପ୍ରବଳମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ।।ଘୋଷା।।
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଶି ଗ୍ରାହନାଶି ଉଦ୍ଧରିଲ ଆପଣ।।୧।।
ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ
କେଡେ ବଡ଼ ବିପତ୍ତିରୁ କରିଅଛ ତାରଣ।।୨।।
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ।।୩।।
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ।।୪।।
ପ୍ରହଲାଦ-ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ।।୫।।
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗାଚରଣ ତଳେ କରୁଅଛି ଜଣାଣ।।୬।।
ଚାଲ ସଖୀ ଆମ୍ଭେ ଦର୍ଶନ କରିବା[edit | edit source]
ଚାଲ ସଖୀ ଆମ୍ଭେ ଦର୍ଶନ କରିବା
ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛ
ଗିରିବର ତୋଳିଆକୁ
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନାସୁତା କେରା କେରା।।୧।।
ଶ୍ଵେତ ପଦ୍ମ ଆଖି ଦେଖିଲେ ଗୋ ସଖୀ
ଚିତ୍ତ କି ବାହୁଡେ ଆଉ
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲମଲ
କଉସ୍ତୁଭ ଦାଉ ଦାଉ
ସେ ଯେ ହିଆ ବୃଷାନ,
ମିଶାମିଶି ବରାନିଧି ଫଳ।।୨।।
ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ
ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହ ପୀଡାମାନେ
ଆଉ କି ପଶିବେ ଡରି
ସେ ଯେ ଦୟାସାଗର
ତାଙ୍କ ପଦ୍ମ ପାଦେ ଲୟ କର।।୩।।
ଶ୍ରୀପୁରୁଷୋତ୍ତମ ରହଣି କରିବା
ଖାଇବା ଛଡ଼ା ତୁଳସୀ
କହେ ସାଲବେଗ ସିଂହଦ୍ଵାରଠାରେ
ହୋଇଥିବା କ୍ଷେତ୍ରବାସୀ
ସେ ଯେ ଆରତ ତ୍ରାଣ
କାଳଗଜକୁ ସିଂହ ପ୍ରୟାଣ
ଚାଲ ଚାଲ ପଶିବା ଶରଣ।।୪।।
ମୋତେ ସେହି ରୂପ ଦେଖାଅ ହରି[edit | edit source]
ମୋତେ ସେହି ରୂପ ଦେଖାଅ ହରି
ଜୟ ଶ୍ରୀ ରାଧେ ରାଧେ (ବୋଲି) ଡାକେ ବାଂଶରୀ
ଯେଉଁ ରୂପେ ବଳିଦ୍ୱାରେ ହେଲ ଭିକାରୀ।ଘୋଷା।
ତ୍ରିପାଦରେ ଦାନ ନେଇ ବଳିକି ପାତାଳେ ଥୋଇ
ତେଣୁ କରି ଶୁକ୍ରମନ୍ତ୍ରୀ ନୟନରେ କୁଶ ଭରି।୧।
କୈକେୟୀ ହେଲେ ଭଗାରି ରାମ ହେଲେ ବନଚାରୀ
ସଙ୍ଗତେ ସୀତୟା ନାରୀ ଲକ୍ଷ୍ମଣ ଯା ସେବାକାରୀ।୨।
ଗୋପେ ଜନମ ହୋଇଲ ବନେ ଧେନୁ ଚରାଇଲ
ଗୋପାଳପୁଅଙ୍କ ମେଳେ ନାଚୁଥାଅ ଢଳି ଢଳି।୩।
ଡାହାଣେ ଶ୍ରୀ ହଳପାଣି ମଧ୍ୟେ ସୁଭଦ୍ରା ଭଉଣୀ
ବାମପାଶେ ବସିଛନ୍ତି ଶଙ୍ଖ-ଚକ୍ର-ଗଦାଧାରୀ।୪।
କହେ ସାଲବେଗ ହୀନ ଜାତିରେ ଅଟେ ଯବନ
କଂସଅଷ୍ଟମଲ୍ଲ ମାରି କାହାକୁ ନ ଅଛ ତାରି।୫।
କେଣେ ଘେନି ଯାଉଛ[edit | edit source]
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ_
ଆମ୍ଭେ ଦର୍ଶନ କରିବୁ କାହାକୁ?।।୦।।
ଖୁଣ୍ଟିଆ ଡାକ ଦେଲେ_ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ ଚାପକୁ,
ଆମ୍ଭେ ଦର୍ଶନ...।।୧।।
କୂଳବଧୂଙ୍କ ରଡ଼ି_ ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଆମ୍ଭଙ୍କୁ
ଆମ୍ଭେ ଦର୍ଶନ...।।୨।।
ବଡ଼ ଦେଉଳୁ ବାହାରି_ ଶଗଡ଼ିରେ ବିଜେ କରି
ରେଣୁ ଯେ ଗଡୁଥିବ ଶ୍ରୀମୁଖକୁ
କହଇ ସାଲବେଗ_ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ ଜୀବନକୁ
ଆମ୍ଭେ ଦର୍ଶନ...।।୩।।
ଏକା ତୋ ଭକତ ଜୀଵନ[edit | edit source]
ଏକା ତୋ' ଭକତ ଜୀଵନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ।।୦।।
ଭକତ ତୋ ପିତାମାତା ଭକତ ତୋ ବନ୍ଧୁ
ଭକତ ହିତରେ ତୋର ନାମ କୃପାସିନ୍ଧୁ।।୧।।
ଧେନୁ ପଛେ ପଛେ ଵତ୍ସା ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି ଥାଉ ସେହି ଭାବେ।।୨।।
ଵୋପା ମୋ ମୋଗଲ ପୁଅ ମାଆ ମୋ ବ୍ରାହ୍ମଣୀ
ଏ କୂଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି।।୩।।
କହେ ସାଲବେଗ ହୀନ ଜାତିରେ ଯବନ
ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ଆନ।।୪।।
ଜଗବନ୍ଧୁ ହେ ଗୋସାଇଁ[edit | edit source]
ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ।।୦।।
ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ
ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି।।୧।।
ରଥ ଚାରିପାଶେ ଲମ୍ବେ ମୁକୁତାର ଝରା
ଝଲଝଲ ଦିଶୁଥାଇ ପ୍ରଭୁ ଚକାଡୋଳା।।୨।।
ବାଇଶି ପାବଚ୍ଛ ତଳେ ବିକା ହୁଏ ଭାତ
ଦର୍ଶନ ତେଣିକି ଥାଉ କୈବଲ୍ୟ ମୁକତ।।୩।।
ଆଗେ ଚଳେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁରେ
ଆସୁଛି କାଳିଆ ପଛେ ଗହଣ ଲଗାଇରେ।।୪।।
କହେ ସାଲବେଗ ହୀନ ଜାତିରେ ଯବନ
ଏହି ମତେ ଆଜ୍ଞା ହେବ ଶିରି ବୃନ୍ଦାବନ ହେ।।୫।।
ବାଛି କେ ନାମ ଦେଲା ଦୟାନିଧି[edit | edit source]
ବାଛି କେ ନାମ ଦେଲା ଦୟାନିଧି
ଦଇତାରି ଦୟାନିଧି ଦୟାଳୁ ରାମହରି
ନିର୍ଦ୍ଦୟ କିଁପା ହେଲ ନିରବଧି।(ଘୋଷା)
ଭଜିଣ ସେ ପଦାମ୍ବୁଜ ହେଳେ ତରିଗଲା ଦ୍ଵିଜ
କାଁହୁ ସ୍ଫୁରିଲା ତାର ବଳବୁଦ୍ଧି।୧।
ଚିନ୍ତିଲା ପ୍ରହଲାଦ ଭକ୍ତ ପାଇଁ ବିଷାଦି
ସ୍ତମ୍ଭରୁ ବାହାରି ତା ପିତାକୁ ଵଧି।୨।
ଗୋପେ ରଖି ଗୋକୁଳ ଗିଳିଲ ଦାବାନଳ
କଲ ଗୋପୀଙ୍କର କାମନା ସିଦ୍ଧି।୩।
କହେ ସାଲବେଗ ହୀନ ଏହି ମୋର ନିବେଦନ
ସେ ପାଦେ ଚିତ୍ତ ରହୁ ନିରବଧି।୪।
ଆହେ ନୀଳଗିରି ![edit | edit source]
ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି।ଘୋଷା।
ତୁଳସୀ ଚଉରା ପାଶେ ଜଗି,
ବସି ଧ୍ୟାଉଛନ୍ତି କେତେ ଯୋଗୀ
ବ୍ୟାଘ୍ରଚର୍ମ ପାତି ସ୍ତୁତି କରୁଛନ୍ତି
ଜପୁଛନ୍ତି ନାମ ସଂଖ୍ୟା କରି।୧।
ବଡ଼ଦାଣ୍ଡ ଦେଖି ହେଲି ତୋଷ,
ରେଣୁମାତ୍ର ତେଣୁ କଲି ଗ୍ରାସ
କ୍ଷିରୀ ଖେଚେଡିରେ ମନ ନବୋଧଇ
ଟଙ୍କ ତୋରାଣିରେ ମନେ ତୋଷ।୨।
ସିଂହଦ୍ୱାରେ ବାଜେ ବେତବାଡି,
ବାଜନ୍ତେ ପାତକ ଯାଏ ଛାଡି
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ
ଏକକୁ ଆରକେ ହୁଡାହୁଡ଼ି।୩।
ବାଇଶି ପାବଚ୍ଛେ ଗଲି ସୁଖେ
କୈବଲ୍ୟପସରା ବେନି ପାଖେ
ଚଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ
କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ।୪।
ରୋହିନୀପାଦୁକକୁଣ୍ଡରଜ
ସିଂହମାଡି ବସିଅଛି ଗଜ
ସତେ କି ଏ ନେତ୍ର ସୁଫଳ ହୋଇବ
କାକ ପଡି ହେଲା ଚତୁର୍ଭୁଜ।୫।
ଗରୁଡ଼ ପଛରେ ରହି ଦେଖ କି
ଶୋଭା ପାଉଛି ପଦ୍ମମୁଖ
ହୀରା ନୀଳା ମୋତି ମାଣିକ୍ୟ ଜଳୁଛି
ହୃଦେ ଲମ୍ବିଅଛି ବ୍ୟାଘ୍ରନଖ।୬।
ଶ୍ରୀଜଗନ୍ନାଥଙ୍କ ଠାକୁରାଣୀ
ସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଆଣି
କଳାଶ୍ରୀମୁଖକୁ ବନ୍ଦାଣ କରନ୍ତି
ସାଧୁ ସନ୍ଥ ଦ୍ୟନ୍ତି ହରିଧ୍ୱନି।୭।
କହେ ସାଲବେଗ ହୀନ ଜାତି
ଶ୍ରୀରଙ୍ଗା ଚରଣେ ରହୁ ମତି
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି
ଦୟାକର ବାରେ ଲକ୍ଷ୍ମୀପତି।୮।