Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ବଳଦେବ ରଥ

From Wikimedia Incubator
< Wq‎ | or

ବାଧିଲା ଜାଣି କ୍ଷମା[edit | edit source]

(ବଳଦେବ ରଥ)

ବାଧିଲା ଜାଣି କ୍ଷମା କର ନୋହିଲେ ରମା-
               ରମଣ ଦଣ୍ଡ ଦିଅ ଟାଳି
ତୁମ୍ଭଙ୍କୁ ଜଗନ୍ନାଥ!ଆଜ ମୋ ମନୋରଥ
               ଭରତି କରିଦେବି ଗାଳି
        ହେ କୃପାନିଧି!
       କରୁଣା ସିନ୍ଧୁ ବୋଲି କରି
       କହନ୍ତି ବୁଧେ ଡରି ମରି
କାଳସର୍ପ ଆପଣ କବଳ କର ପ୍ରାଣ
             ପଵନମାନଙ୍କୁ ସବୁରି ହେ।।୧।।

ଜଳଧି ଅନ୍ତେ ନିଜ ଘର ଦେବାଧିରାଜା
                             ବୁଡାଇ ଦେଇଛ ଆପଣ
ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୋହେ ଆନ
                             ଜନର ଘରବୁଡା ପଣ
               ହେ କୃପାନିଧି
          ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ
          ବତାଅ ବୋଲି ଆଜ୍ଞା ହେଲେ
ମୁଁ ନୁହେଁ ଘରବୁଡା ବତାଇବାକୁ ଛିଡା
                             ହୋଇଛି ବତାଇବି ଭଲେ ହେ।।୨।।

ତାହାକୁ ବୋଲି ଚକ୍ରୀ ଚକ୍ର ଥିବାରୁ ଚକ୍ରୀ
                              ତୁମେତ ବୋଲାଅ ମଣ୍ଡଳେ
ବେଭାର କୁଣ୍ଡଳୀ ସେ ଆପଣ ତ ବିଶେଷେ
                               ଭୂଷିତ ମକର କୁଣ୍ଡଳେ
                      ହେ କୃପାନିଧି
                     ଅଦୃଶ୍ୟ ହେବାରୁ ତା' ପାଦ
                     ତାହାକୁ ବୋଲି ଗୂଢପଦ
 ଆପଣା ଚରଣ ତ ବିରଞ୍ଚିକି ଗୁପତ
                                କାହିଁ ତା'ଠାରୁ ତୁମ୍ଭ ଭେଦ ହେ।।୩।।

ହେବ ନା ଅଵଧାନେ ତାହାକୁ ତ୍ରିଭୁବନେ
                                 ବୋଲନ୍ତି କାକୋଦର ନରେ
ଏ ତ୍ରିପିଷ୍ଟକ ଯାକ ମଧ୍ୟେ ଗୋଟିଏ କାକ
                                  ନାହିଁକି ତୁମ୍ଭର ଉଦରେ
                          ହେ କୃପାନିଧି
                   ବିବରେ ସେ ଅତି ଲମ୍ପଟ
                   ଵିଵର ବିହଙ୍ଗମ ରାଟ
ବିଧିରେ ସେ ଲମ୍ପଟ, ଆପଣ ସେ ତ ପଟ-
                                 ପଟଳେ ହୋଇ ଅଛ ସ୍ଫୁଟ ହେ।।୪।।

କାନ ନଥାଇ ଆଖି ଭୁଜଙ୍ଗଠାରେ ଦେଖି
                                   ନୟନଥିବା ବୋଲି ତାକୁ
କହ କମଳାନନ! କାହିଁକି ତୁମ୍ଭ କାନ
                                   ସର୍ପ ବୋଇଲେ ଚଳିବାକୁ
                         ହେ କୃପାନିଧି
                     ଫଣୀ କାୟାକୁ ବୋଲି ଭୋଗ
                      ଥିବାରୁ ସେ ଦୁଇ ସଂଯୋଗ
ତାହାକୁ ବୋଲି ଭୋଗୀ, ତୁମ୍ଭେ କି ନୁହ ଭୋଗୀ
                                   କରୁଯା' ଅଛ ମହାଭୋଗ ହେ।।୫।।

ଯେବେ ଭୁଜଙ୍ଗ ନୁହଁ କାଳୀୟଠାରେ ଦ୍ରୋହ
                        କଲ କାହିଁକି ଏଡ଼େ କରି
କେତେ ନ ଥିଲେ ଗୋପେ ତୁମ୍ଭେ କାହିଁକି କୋପେ
                         ତାହାକୁ ଦେଲ ପ୍ରାଣେ ମାରି
              ହେ କୃପାନିଧି
          ତାହାରି ନାମେ ତୁମ୍ଭ ନାମ
           ଅଦ୍ୟାପି ହୋଇଛି ଜନମ
ଯେବେ ସୂଗୋତ୍ର ଦୋହ ନଥାନ୍ତା ନାଥ କହ
                             କିମ୍ପାଇ ହୁଅନ୍ତା ଏ କ୍ରମ ହେ।।୬।।

ଜାଣି ବାଳୁତ କାଳୁ ଲବଣୀ ହାଣ୍ଡି ତଳୁ
                             ଧରି ପାଶରେ ଦୃଢେ ଭିଡି
ଦୟା ନକରି ତିଳେ ଯାମଳା ତରୁ ତଳେ
                             ଜନନୀ ନେଇ ଦେଲେ ଛାଡି
                  ହେ କୃପାନିଧି
             ଯେତକ ଥିଲା ଗର୍ଭେ ପଡ଼ି
             ଜୀର୍ଣ୍ଣ ହେବାକୁ ହେଲ ଭିଡି
ତିନି ଜଗତ ଯାକେ ଜାଣିତ ତ ଥିବେ ଲୋକେ
                              ସେ ତରୁ ଯିବାର ଉପୁଡ଼ି ହେ।।୭।।

ବ୍ରହ୍ମା ଶଙ୍କର ମୁଖ୍ୟ ଦେବଙ୍କଠାରୁ ମୋକ୍ଷ
                               ପ୍ରଧାନ ଧନ ଗୂଢ କଲ
ପତିତକୁ ନ ପୋଷିବାରୁ କ୍ରମରେ ଆଶୀ-
                                ବିଷ ପରାଏ ଆଭାସିଲ
                   ହେ କୃପାନିଧି
             ଅସାଵଧାନେ ଗଲେ ମିଳି
              ଗୋଟିକୁ ଗିଳଇ କୁଣ୍ଡଳୀ
ଅଗଣିତ ବ୍ରହ୍ମାଣ୍ଡ ହାଣ୍ଡି ମଣ୍ଡଳୀ ରୁଣ୍ଡ
                                  କରି ଆପଣ ଅଛ ଗିଳି ହେ।।୮।।

ଅହିତ ବୋଲାଏ ସେ ଏକ ଅକ୍ଷର କୋଷେ
                                  ଅହିତ ବୋଲାଅ ନିପୁଣ,
କଂସ ପ୍ରମୁଖାସୁର ବିପକ୍ଷମାନଙ୍କର
                                  ଅହିତ ହୋଇଛ ଆପଣ
                ହେ କୃପାନିଧି
            ଜଗତେ ଧରି ଯେବେ ଅହି
             ଘଟ ଗୋଟିକେ ନେଇ ଥୋଇ
ଅଛ ଯାବତ ଘଟେ ବଞ୍ଚାଅ ଯେ କପଟେ
                                  ମୋର ହାବୁଡ଼ୁ ଯିବ କାହିଁ ହେ।।୯।।

କେଉଁ ଶିଶୁ କାମିନୀ ସ୍ତନ୍ୟ ପାନରୁ ଘେନି
                               ଜୀଵନ ଯାଇଛି ଜଗତେ,
ଶୋଷି ପୂତନା ପ୍ରାଣ ଘେନିବାର ଜୀଵନ
                                ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ?
                    ହେ କୃପାନିଧି
               ସକଳ କଥା ମୋର ଦେଖି
               ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ
ବ୍ରଜେ ଭୁଜଙ୍ଗ ଚାଲି କରି ମୁଁ ନାହିଁ ବୋଲି
                           ଛୁଅଁ ତ ଥରେ ଚକା ଆକ୍ଷି ହେ।।୧୦।।

ନୁହେଁ ଆବାସ ଘର ମାନସ ସରୋବର
                            ଶୁଭିଲା ନାଗେଶ୍ଵର ରଵ,
କ୍ଷଣେ ନ ରହି ଧାଇଁ ଗଲଟି କାହିଁ ପାଇଁ
                             ଆଉ ନଥିଲେ କେତେ ଦେବ
                ହେ କୃପାନିଧି
           ମନ୍ତ୍ର ଜାଣିବା ଲୋକେଵଶ
            ହୁଅନ୍ତି ସବୁ ଆଶୀବିଷ
ମନ୍ତ୍ରାଧୀନ ତ ତୁମ୍ଭେ ବଞ୍ଚାଉ ଅଛ ଦମ୍ଭେ
                                ଭୁଜଙ୍ଗ ନୁହଁ ଆଉ କିସ ହେ।।୧୧।।

କହଇ କବିସୂର୍ଯ୍ୟ ନାଥ ନୁହଁ ଅଧୈର୍ଯ୍ୟ
                                 ଏଣିକି ମହତ ନ ଯାଉ,
ମୁଁ ତୁମ୍ଭ ପରିବାର ଜାଣିଲେ କି ବିଚାର
                                   ଇତିରେ ନ ଜାଣନ୍ତୁ ଆଉ,
                  ହେ କୃପାନିଧି
            ଯେତେବେଳେ ମୋ ଅନ୍ତ ହେବ
              ଏତିକି ମାତ୍ର ମୋତେ ଦେବ
ପରେ ତରାଟ ଦ୍ୱାର ସୀମାରୁ ପରିହାର
                                 କରାଇ ଯହିଁ ତହିଁ ନେବ ହେ।।୧୨।।