Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ବନମାଳୀ ଦାସ
ଜଗନ୍ନାଥ ହୋ[edit | edit source]
ଜଗନ୍ନାଥ ହୋ ...
କିଛି ମାଗୁନାହିଁ ମୁଁ ତୋତେ
ଧନ ମାଗୁନାହିଁ ଜନ ମାଗୁନାହିଁ
ମାଗୁଛି ଶରଧା ବାଲିରୁ ହାତେ।।ଘୋଷା।।
ଆନ ଦରଶନ_ ନ ଲୋଡେ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ_ ନ ଇଚ୍ଛଇ ଆନ
ତୋହ ଚରିତେ କାମନା।।୧।।
ରସନା ନ ବାଞ୍ଛେ_ ଗ୍ରାମ୍ୟଗୀତ ଗାଇ-
ବାକୁ ରଜନୀ ଦିବସ
ତୋହ ନାମାବଳୀ_ କେବଳ ଶଙ୍ଖାଳି
ହୋଇଥାଉ ପୀତବାସ।।୨।।
ନାସା ମୋର ତୃପ୍ତି_ ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ_ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ।।୩।।
ମୋ ହସ୍ତ ଅଙ୍ଗୁଳି_ ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ_ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ।।୪।।
କୃଷ୍ଣ କେଶବ ହରି[edit | edit source]
କୃଷ୍ଣ କେଶବ ହରି
ମାଧବ ଦଇତାରି
କଞ୍ଜନୟନ ପ୍ରଭୁ କୁଞ୍ଜବିହାରି।ଘୋଷା।
ଗୋବିନ୍ଦ ନନ୍ଦବାଳ ବାସୁଦେବ ଦୁଲାଳ
ବରଜସୁତମେଳ ବକାଅଇରି
ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ର
ସାରଙ୍ଗଧାର ରସରାଜ ମୁରାରି।୧।
ବାଳିଭ୍ରାତ-ମଇତ୍ର ମାଳୀ-ସୁଦାମା-ମୁକ୍ତ
ଦରନାଶନ ଦାବାନଳଆହାରୀ
ବିଷ୍ଣୁ ପରମାନନ୍ଦ ଆଦିକନ୍ଦ ସୁରେନ୍ଦ୍ର
ବ୍ରହ୍ମାଣ୍ଡନାଥ ବଳିଦ୍ୱାର-ଭିକାରୀ।୨।
ରୁଞ୍ଜଗୁଞ୍ଜମାଳିଆ ଆମ୍ବଜାମୁଡାଳିଆ
କାଳିଦଳିଆ କୁଜସୁନ୍ଦରକାରୀ
କେଳିପୁଚ୍ଛଚୂଳିଆ ଧେନୁବୃନ୍ଦଚାଳିଆ
ନୀପମୂଳିଆ ବାଙ୍କ ମୁରଲୀଧାରୀ।୩।
ସତ୍ୟସୁଖଦାୟକ ନିତ୍ୟସ୍ଥଳନାୟକ
ଘେନିମା ଚିତ୍ତେ ମୋର ଏହି ଗୁହାରି
ଭାବଇ ବନମାଳୀ ଏ ନାମ କଣ୍ଠେ ମାଳୀ
କରି ମୋ ଜୀବ ଯିବ ସତେ ବାହାରି।୪।
ଶ୍ରୀ ଦୁଃଖନାଶନ ଜଣାଣ[edit | edit source]
ଦୁଃଖନାଶନ ହେ ! ସୁଖ ନ ପାଇଲି ଦିନେ
ବେଳୁଁ ବେଳ ଦୁଃଖ ପ୍ରବଳ ହେଉଛି
ବିଜୁଳି ଯେସନ ଘନେ।ଘୋଷା।
ଅନାଥର ନାଥ ନୀଳଗିରିନାଥ
ଜଗନ୍ନାଥ ଲକ୍ଷ୍ମୀସାଇଁ
ଅରକ୍ଷିତକୁ ତ ରଖି ଦେଉନାହଁ
ଭବଜଳରେ ଭସାଇ।୧।
ଆହେ ହରି ! ମୁହିଁ ସହି ତ ନ ପାରି
ଅନ୍ତରବେଦନାମାନ
ଯେଣୁ କରି ତୁମ୍ଭେ ଦୟା ନ କଲ ହେ
ପ୍ରଭୁ ଆତଙ୍ଗନାଶନ।୨।
ଏଡ଼େ ନିଷ୍ଠୁରତା ହେଲ ମୋହ ଭଳି
ଦୁଃଖୀ ଜନ ହୀନଠାରେ
ଦିନ ଜନମାନେ ଗୁହାରି କରନ୍ତି
ନ ଶୁଣ କି ତୁମ୍ଭେ ବାରେ।୩।
ପୋଡ଼ୁ ମୋ ଅଦୃଷ୍ଟ ଅନ୍ନ-ବସ୍ତ୍ର-କଷ୍ଟ
ଏଡ଼େ ବଡ଼ ପ୍ରଭୁ ଥାଉ
ବନମାଳୀ ବୋଲେ ଚଞ୍ଚଳ ମନ ମୋ
ପଦ୍ମପାଦେ ତୁମ୍ଭ ରହୁ।୪।
ଆହେ ପ୍ରଭୁ କଳାଶ୍ରୀମୁଖ ![edit | edit source]
ଆହେ ପ୍ରଭୁ କଳାଶ୍ରୀମୁଖ !
କାଳେ କାଳେ ମୋର ନ ଗଲା ଦୁଃଖ।ଘୋଷା।
କି ଅବା ଛାମୁରେ ଜଣାଇବି ମୁହିଁ
ସାକ୍ଷାତେ ମୋ ଦୀନ ଅବସ୍ଥା ଦେଖ
ତେଣୁ ଶ୍ରୀ ଛାମୁକୁ ଯାଇ ନପାରଇ
ଖଣ୍ଡିଏତ ମୋର ନଥାଇ ଭେକ।୧।
ସାଉଙ୍କ ଜଞ୍ଜାଳ କୁଟୁମ୍ବଙ୍କ ଗୋଳ
ଅନ୍ତର ବେଦନା ସବୁ ଅଧିକ
କା ଆଗେ କହିବି କେ କଷ୍ଟ ଫେଡ଼ିବ
ସଂସାରେ ମୋ ସରି ନାହିଁ ନିରେଖ।୨।
ମନ ମଧ୍ୟେ ମୋର ହରଷ ନଥାଇ
ହୃଦୟ ମଧ୍ୟରେ ସଦା ବିମୁଖ
ଚଉବର୍ଗଦାନୀ ଆଶ୍ରେ କରି ମୁଁ ଯେ
କାହିଁରେ ଆଉ ନ ପାଇଲି ସୁଖ।୩।
ବାତଚକ୍ର ପ୍ରାୟେ ମନ ଭ୍ରମୁଥାଇ
ଦଣ୍ଡେ ନ ରହଇ ତୁମ୍ଭର ପାଖ
କହେ ବନମାଳୀ ଶଙ୍ଖରେ ପୂରାଇ
ଚକ୍ର ଉହାଡିଣ ଘୋଡାଇ ରଖ।୪।
ଦୀନବନ୍ଧୁ ଦଇତାରୀ[edit | edit source]
ଦୀନବନ୍ଧୁ ଦଇତାରୀ
ଦୁଃଖ ନ ଗଲା ମୋହରି
ହେଲ କି ନିଷ୍ଠୁର ଚିତ୍ତ_ ନୀଳାଚଳେ ବିଜେ କରି।।ଘୋଷ।।
ଲକ୍ଷ ଯୋଜନରେ ଗଜ_ ଡାକିଲା ହେ ଦେବରାଜ
ତା' ଡାକକୁ ଚତୁର୍ଭୁଜ! ଶୁଣିଛ ଶ୍ରବଣ ଡେରି।।୧।।
କୁରୁପତି ସଭାତଳେ_ ଦ୍ରୌପଦୀ-ଆତଙ୍ଗ କାଳେ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି।।୨।।
ବଳବନ୍ତ ପ୍ରଭୁ ବୋଲି_ ବଳେ ମୁଁ ଯେ ଆଶ୍ରା କଲି
ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି।।୩।।
ରଖ ବା ନରଖ ମୋତେ_ ଶରଣ ତୋ ପାଦଗତେ
କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି।।୪।।