Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ଗୋବିନ୍ଦ ଭଞ୍ଜ
ମୋ ଦୁର୍ଭାଗ୍ୟ କର ଚୂନା[edit | edit source]
କୃପାସିନ୍ଧୁ ! ଦୀନବନ୍ଧୁ ! କାହିଁକି କରୁଣା ଊଣା?
ମୋହପରି ଦୀନହୀନ ଧରାଧାମେ ନାହିଁ ଶୁଣା।।ଘୋଷା।।
ଭାବି ଯା ନଥିଲି ମନେ_ ବସାଇ ଉଚ୍ଚ ଆସନେ
ସୁଖ ସଙ୍ଗେ ଦୁଃଖ ଦେବା
ରୀତି ତ ନଥିଲା ଜଣା।।୧।।
ତୃଷାର୍ତ୍ତ ଜନେ ଆଦରେ_ ଡ଼ାକି ବସାଇ ପାଶରେ
ପିଇବା ଆଗୁଁ ଭଣ୍ଡିଲ
ଯାଚି ସୁମଧୁର ପଣା।।୨।।
ବିତରି ସଂସାର ସାର-_ ଫଳକୁ କଲ ଅସାର
ତାର କି ମୋ ଭାଗ୍ୟ ଦୋଷ
ଭାବି ମୁଁ ହେଉଛି ବଣା।।୩।।
ତୁମ୍ଭର ମଙ୍ଗଳମୟ_ ଇଚ୍ଛାରେ ମୁଁ କରି ଲୟ
ନୋହୁଛି ଦୁଃଖିତ ପ୍ରଭୋ।!
ପଡି ଏ ବିପଦେ ସିନା।।୪।।
ନୃପତି ସୁତ ଗୋବିନ୍ଦ_ ଚିନ୍ତଇ ପଦାରବିନ୍ଦ
ହେ ମଧୁହାରୀ ମୁକୁନ୍ଦ
ମୋ ଦୁର୍ଭାଗ୍ୟ କର ଚୂନା।।୫।।