Wq/or/ଶ୍ରୀ ଜଗନ୍ନାଥ ଭଜନ, ଜଣାଣ/ଗୋପାଳକୃଷ୍ଣ ପଟ୍ଟନାୟକ
ଅନୁସରିତ[edit | edit source]
ଅନୁସରିତ
ପ୍ରଭୁ ! କାଳ ଯାକ ଗଲା ସରିତ
କଣ ବିତରଣ କଲେ କେତେ ଊଣା
ହୁଅନ୍ତା କରୁଣା ସରିତ।।ଘୋଷା।।
ଅଶରଣ ଜନ ବଂଧୁପଣ ଯଶ
ସଂସାରେ ହୋଇଛି ଉଦିତ
ପଥର ହୋଇ ପଥରେ ପଡ଼ିଥିଲା
ଅହଲ୍ୟାକୁ ଦେଲ ତାରିତ।।୧।।
ପାଞ୍ଚଳୀକି ଦୁଃଶାସନ ଘଞ୍ଚାଳିଲା
ବଞ୍ଚାଇଲ ବାସ ଦେଇତ
ଘୁଞ୍ଚାଇଲ ନାହିଁ ମୋ ଛାର କଦନ
ପୋଛାଇଲ ନେତ୍ରୁ ବରିତ।।୨।।
କାହିଁଥିଲା ଚକ୍ର କାହିଁଥିଲା ନକ୍ର
ପଲକ ପତନ ନୋହୁତ
ଛିଡିଗଲା ମଥା ରହିଗଲା କଥା
ଡାକିଲା ମାତ୍ରକେ କରୀ ତ।।୩।।
କାଳ କିଙ୍କର ଭୟରେ ଅଜାମିଳ
ପୁତ୍ରପଚାରରେ ଡାକିତ
ପରମପଦ ପାଇଲା ଆପଣଙ୍କ
ନାମ ମହିମା ଏପରିତ।।୪।।
ନିରୂପାଧି କୃପା କର ବୋଲି ବିଧି
ଭବାଦିରେ ଥାଉ କଥିତ
ମୁଁ କଲା ଦୋଷକି ? ନାଶିଛତ ବକୀ
ବିଷ ପିଆଉଁ ତା ଦୂରିତ।।୫।।
ଗୋପାଳ କୃଷ୍ଣ କହେ ଜଗନ୍ମଙ୍ଗଳ
ଯାହା କରିବ ତୁମ୍ଭ ଚିତ୍ତ
ଆପଣା କୃପାଳୁ ପଣକୁ ବଳି ମୋ
ଦୁଷ୍କୃତ ନୁହଁଇ ଭାରତୀ।।୭।।