Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ/ମାଗୁଣି ପଟ୍ଟନାୟକ

From Wikimedia Incubator
< Wq‎ | or

ହାତୀ ଆସନ୍ତି ମୋ[edit | edit source]

(ମାଗୁଣି ପଟ୍ଟନାୟକ)

ହାତୀ ଆସନ୍ତି ମୋ ଅଚଳ ମହାମେରୁ।
ଭକତି ଭାବକୁ ଆସନ୍ତି ହରି ଶ୍ରୀନୀଳକନ୍ଦରୁ।
ପଦ ଦ୍ୟୁତି କଳା ଦୋହଲାଇ ମାଳା ଚନ୍ଦ୍ର ସୂର୍ଯ୍ୟ ବେନି ଆଖି,
ଭକ୍ତଜନମାନେ ମୁକତି ଲଭନ୍ତି କଳା ନୟନ କୁ ଦେଖି।
ହାତୀ ଆସନ୍ତି ମୋ।।୧।।

ହାତୀର ଓଜ ବିସ୍ତାର ଭୁଜ ଶୋଭା ଅଣ୍ଟା ଗୋଟି ତାର ସରୁ,
ସଧୀରେ ସଧୀରେ ଚଲାଇ ଆଣନ୍ତି ଶ୍ରୀନୀଳଗିରି ମଧ୍ୟରୁ।
ହାତୀ ଆସନ୍ତି ମୋ।।୨।।

ବାହା ସୁବିସ୍ତାର ଗଳେ ବନମାଳ କଟିରେ କିଙ୍କିଣୀ ସାଜେ,
ଚରଣ କମଳ ବଜେଣି ନୂପୁର ଝୁମୁକୁ ଝୁମୁକୁ ବାଜେ।
ହାତୀ ଆସନ୍ତି ମୋ।।୩।।

ବଜାଇ ମୃଦଙ୍ଗ ଭେରୀ ତୂରୀ ବାଦ୍ୟ ଶଙ୍ଖ ଧ୍ଵନି ନିରନ୍ତରେ,
ଦୁଲୁ ଦୁଲୁ ହୋଇ ଦୁଲକି ପଡ଼ନ୍ତି ପାଟ ମୁଚୁଳି ଉପରେ।
ହାତୀ ଆସନ୍ତି ମୋ।।୪।।

ମୃଦଙ୍ଗ ନିନାଦ ଅତି ହିଁ ଶବଦ କିଣି କିଣି ବାଦ୍ୟ ବାଜେ,
ବ୍ରହ୍ମାଣ୍ଡଯାକକୁ ଚଲାଇ ଆଣନ୍ତି ଚତୁରଙ୍ଗ ବଳ ସାଜେ।
ହାତୀ ଆସନ୍ତି ମୋ।।୫।।

ଦଇତାପତିଏ ଡୋର ଧରିଥାନ୍ତି ହୋଇଥାନ୍ତି ଏକ ମେଳ,
କେହି ବୋଲୁଥାନ୍ତି ମଣିମା ମଣିମା କେହୁ ବୋଲେ ଚାଲ ଚାଲ।
ହାତୀ ଆସନ୍ତି ମୋ।।୬।।

ଲକ୍ଷେ ପାଟଛତ୍ର ଉପରେ ଚାମର ଥରେ ବିଜେ କଲେ ହରି,
ଅଧମ ମାଗୁଣି ଶରଣ ପଶୁଛି ଗୀତ ସାତ ପଦ ସାରି।
ହାତୀ ଆସନ୍ତି ମୋ।।୭।।