Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ/ଦୀନକୃଷ୍ଣ ଦାସ

From Wikimedia Incubator
< Wq‎ | or

ଜଗବନ୍ଧୁ ପରି ଜଣେ ସାମନ୍ତ[edit | edit source]

(ଦୀନକୃଷ୍ଣ ଦାସ)

ଜଗବନ୍ଧୁ ପରି ଜଣେ ସାମନ୍ତ_
                       ନାହିଁ ନାହିଁ ତ
ଚଉଦ ଭୁବନ ବାରତା ଜାଣନ୍ତି_
                        ଚକ୍ରରେ ଛେଦନ୍ତି ଆରତ।।ଘୋଷା।।

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ_
                         ଅକ୍ରୂର ଆଣିଣ ଗଲା ତ
ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା_
                         ଚତୁର୍ଭୁଜ ହେଲେ ଅନନ୍ତ।।୧।।

ସୁଗ୍ରୀବର ସଂଗେ ମଇତ୍ର ହୋଇଣ_
                         ବାଳିକି ବିନାଶ କଲେ ତ
ରାବଣ ଭ୍ରାତା ଯେ ଶରଣ ପଶିଲା_
                         ଲଙ୍କାଗଡ଼ ତାକୁ ଦେଲେ ତ।।୨।।

କୁରୁ ସଭାତଳେ ଦ୍ରୌପଦୀ ଚିନ୍ତିଲା_
                          କୋଟି ବସ୍ତ୍ର ଦିଆଇଲେ ତ
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ_
                           ଘଣ୍ଟ ଘୋଡାଇ ରଖିଲେ ତ।।୩।।

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ_
                           ନାଶନେ ଆରତୀ ଆରତ
କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ_
                            ପଦ୍ମପାଦ ଚିତ୍ତେ ଧ୍ୟାୟୀ ତ।।୪।।

ଜୟ ଜଗବନ୍ଧୁ[edit | edit source]

(ଦୀନକୃଷ୍ଣ ଦାସ)

ଜୟ ଜଗବନ୍ଧୁ ହେ_ ଯଦୁ ନନ୍ଦନ
                ବ୍ରଜବାଳୀ ହୃଦତଟ ଚନ୍ଦନ।।ଘୋଷା।।

ବଡ଼ ଦେଉଳେ ବିହାର_ ବଡ଼ଚିତା ବଡ଼ଚୂଳ
                 କି ଶୋଭା ଦିଶୁଛି କଳାବଦନ।।୧।।

ସେ ଯେଉଁ ଅଳକା ପନ୍ତି_ ଦେଖି ଭୁଲି ଯିବ ମତି
                 ମୁନିଜନଙ୍କର ମନ ମୋହନ।।୨।।

ବଡ଼ ବଡ଼ ଚକା ଆଖି_ ବଳିଆର ଭୁଜ ଦେଖି
                 ତହିଁରେ ରହିଲା ଲାଖି ମୋ' ମନ।।୩।।

ସେ ଯେଉଁ ରଙ୍ଗ ଅଧର_ ପୁରି ରହିଛି ମଧୁର
                  ନାସେ ଗଜମୋତି ଅତି ଶୋଭନ।।୪।।

କଟୀତଟେ ପାଟ ଝୁମ୍ପା_ ଓଡ଼ିଆଣୀ ତନୁକମ୍ପା
                   କି ଶୋଭା ଦିଶୁଛି ରେଖା କୁନ୍ଦନ।।୫।।

ଶ୍ରୀ ଜଗନ୍ନାଥ ଚରଣେ_ ଚିତ୍ତ ରହୁ ଅନୁକ୍ଷଣେ
                  ଦୀନକୃଷ୍ଣ ଦାସଙ୍କର ବଖାଣ।।୬।।

ଜୟ ଜୟ ଜଗନ୍ନାଥ[edit | edit source]

(ଦୀନକୃଷ୍ଣ ଦାସ)

ଜୟ ଜୟ ଜଗନ୍ନାଥ ନୀଳଗିରି ପତି
ଅଭିନବ ଜଳଧର ସୁନ୍ଦର ମୁରତି ହେ।।୧।।

ସୁସଞ୍ଚ ଠାଣିରେ ଶୋହେ ସୁବର୍ଣ୍ଣର ସୂତା
ଚୂଳରେ ଦୟଣା ଗଭା କସ୍ତୁରୀର ଚିତା ହେ।।୨।।

ଢଳ ଢଳ ଦିଶଇ ମୁକୁତା କଣ୍ଠିମାଳ,
ଶ୍ରବଣ ପୁଟରେ ବେନି ମର୍କତ କୁଣ୍ଡଳ ହେ।।୩।।

ନବରତ୍ନ ପଦକ ହୃଦରେ ଭଲା ସାଜେ,
ମର୍କତ କଂକଣ ବେନି ଭୁଜରେ ବିରାଜେ ହେ।।୪।।

ଡ଼ମ୍ବରୁ ମଝାକୁ ଶୋଭା ଦିବ୍ୟ ଓଡିଆଣି,
ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ ଠାଣି ହେ।।୫।।

ରୂପକୁ ନୁହଇ ଲକ୍ଷ କୋଟିଏ ମଦନ
ରଙ୍ଗ ଅଧରକୁ ଶୋହେ ଡାଳିମ୍ବ ଦଶନ ହେ।।୬।।

କଚଟି ବାହୁଟି ଯେ ବିବିଧ ରତ୍ନ ଜଡି,
ଦୟଣାର ଧଣ୍ଡାମାଳ ହୃଦ ଯାଏଁ ପଡି ହେ।।୭।।

କଳା ମୁଖ ଗୋଟିକି ସୁନ୍ଦର ଚକାଡୋଳା
ପଦ୍ମଫୁଲ ଭିତରେ କି ଭୃଙ୍ଗ କରେ ଖେଳା।।୮।।

ଶଙ୍ଖ-ଚକ୍ର ଗଦାପଦ୍ମ ଚତୁର୍ଭୁଜେ ଶୋହେ
କୋଟିଏ କନ୍ଦର୍ପ ରୂପ ତ୍ରିଭୁବନେ ଶୋହେ ହେ।।୯।।

ଭକତ ଜନ ଶଙ୍ଖାଳି ମୁକତିର ଘର,
ଶରଣ ମାଗଇ ଦୀନ କୃଷ୍ଣ ଦାସ ଛାର ହେ।।୧୦।।

ଜଗବନ୍ଧୁ ଅଙ୍କେ ରତନପଲଙ୍କେ[edit | edit source]

(ଦୀନକୃଷ୍ଣ ଦାସ)

ଜଗବନ୍ଧୁ ଅଙ୍କେ ରତନପଲଙ୍କେ
ପହୁଡ଼ିଲେ ସିନ୍ଧୁ-ଜେମାଦେଈ।ଘୋଷା।

ଦିବ୍ୟ ସୁବାସ ଜଳ ସୁନାଝରୀରେ
ଦିବ୍ୟ ସୁବାସ ପଇଡ଼ ତଳେ ଥୋଇ

କୁସୁମ ବିଞ୍ଚଣୀ ଧରି କେ ବିଞ୍ଚଇ
ବେନି ସଖୀ ହେଲେ କୁହାକୁହି।୧।

ପୁଗ ଖଇର ଅଳାଇଚ ଲବଙ୍ଗ
ଯାତି ଶ୍ରୀଫଳ କରିଣ ଏକ ସଙ୍ଗ
ବିଚିତ୍ର କରିଣ ବିଡିଆ ସଜାଡି
ରତ୍ନବଟାରେ ଖଞ୍ଜିଲେ ନେଇ।୨।

କେ ବୋଲେ ଅନା ଆରେ ମୀନନୟନା
ଘନକୋଳେ କି ଚନ୍ଦ୍ର ଚକୋର ସିନା
ଝଳି ଅଙ୍ଗରେ ମରକତକୁନ୍ଦନ
ମୀନାକୁ ଫୁଙ୍କି ଦେଇଛି ବିହି।୩।

କହେ ଦୀନ କୃଷ୍ଣ ସେ ଶୋଭା ଦର୍ଶନ
ପଡିବି ଚରଣେ ହୋଇବେ ପ୍ରସନ୍ନ
ଯେଉଁ ଚରଣ କୋଟି ବ୍ରହ୍ମା ମୁନୀନ୍ଦ୍ର
ଯୋଗେନ୍ଦ୍ର ନ ଧ୍ୟାୟୀ ପାନ୍ତି ଧ୍ୟାୟି।୪।