Jump to content

Wq/or/ରଚନାବଳୀ/ମାୟାଧର ମାନସିଂହ/ଏଇ ସହକାର ତଳେ

From Wikimedia Incubator

ଏଇ ସହକାର ତଳେ
ସେଦିନ ପ୍ରିୟାର କର-କଙ୍କଣ
ଭିଡ଼ିଥିଲା ମୋର ଗଳେ
ଚାନ୍ଦିନୀ ରାତି ଉଠିଥିଲା ମାତି
ମଳୟ ପରଶ ପାଇ
ବନପକ୍ଷୀ ଦୂରେ କରୁଣେ ମଧୁରେ
ଯାଉଥିଲା କିବା ଗାଇ
ଜ୍ୟୋତ୍ସ୍ନା ଓ ଛାୟା ରଚିଥିଲା ମାୟା
ଚିତ୍ର ଏ ତରୁ ତଳେ
ସହଚରୀ ମୋର ପ୍ରଣୟ-ବିଭୋର
ଭିଡ଼ିଥିଲା ମୋର ଗଳେ
ଏଇ ସହକାର ତଳେ

ନଗରେ ପ୍ରଦୀପ ନିଭି ଆସୁଥିଲା
ନିଶୀଥ-ନିଦ୍ରା ପାଇଁ
ପ୍ରାନ୍ତର ଭରି ଝିଙ୍କାରି କରି
ଉଠୁଥିଲା ସାଇଁ ସାଇଁ
ଶଙ୍କିତେ ଗୋରୀ ଥର ଥର କରି
ଚଉଦିଗେ ଚାହୁଁଥାଏ
ପ୍ରତିଥର ମୁହିଁ ସହଚରୀ-ମୁଖୁଁ
ଅଧର-ମଦ୍ୟ ପାଏ
ଭୟେ, ଭୟେ, ତରତରେ
ଏଇ ସହକାର ତଳେ
ଦୁହେଁ ଦୁଇଠାରେ ଘନ ମିଶିବାରେ
ପ୍ରାଣ ମନ ଧରି ଚେଷ୍ଟା
ଜିଣିବ କେ କାରେ ପ୍ରାଣ ବିକିବାରେ
ଏଥିଲାଗି ଭାରି ନିଷ୍ଠା
ସକଳ ଜଗତ ଦୂର ଓ ନିକଟ
ପାସୋରି ସେ ମହାକ୍ଷଣେ
ଶୁଣୁଥାଇ ମହା-ସଙ୍ଗୀତ ପ୍ରିୟା
କଙ୍କଣ କଣ-କଣେ
ବାଜେ ଯେବେ ତାର କରେ
ଏଇ ସହକାର ତଳେ

ପିଆର ମଦିରା ଥରେ ସେ ଅଧୀରା
ଚମକିଲା ମୋର ବକ୍ଷେ
ବାହୁପାଶ ତାର ଶିଥିଳିତ କରି
ଚାହିଁଲା ମୋହର ଚକ୍ଷେ
ମୋ ନୟନ ଚାହିଁ ଅଧର ଥରାଇ
କହିଲା ମୋ ଆଡ଼େ ଚାହିଁ
ତମ ଲାଗି ଯେହୁ କଳଙ୍କ ବହେ
ସତେ ତାକୁ ଭଲ ପାଅ ?
ଉତ୍ତରେ ବାହୁ ଭିଡ଼ିଲି ତାହର ଗଳେ
ଏଇ ସହକାର ତଳେ

ସହକାର ତଳ ବାୟୁ ଉତ୍‌ଥଳ
ହୋଇଗଲା ପ୍ରିୟା-ଗନ୍ଧେ
ଶିଥିଳ ଚିକୁର ଚୁମ୍ବନାକୁଳ
ପଡ଼ିଲା ରୂପସୀ ସ୍କନ୍ଧେ
ନିଶୀଥ ଜ୍ୟୋତ୍ସ୍ନା ଧୀରେ କଲା ମନା
ପ୍ରାନ୍ତରେ ରହିବାକୁ
ମଳୟ କହିଲା ମଦିରା ସରିଲା ?
ଯାଅ ତେବେ ଶୋଇବାକୁ
ମିଶିବତ କେତେ ଥରେ
ଏଇ ସହକାର ତଳେ

ସହକାର ତଳ ଆର କେତେ ଥର
ଦେଖିଲା ଆମ୍ଭ ରାସ ?
ଜ୍ୟୋତ୍ସ୍ନା ନିଶାରେ ଦେଖିଲା କି ଆର
ଉଡ଼ିବାର ପ୍ରିୟା-ବାସ ?
ମିଳି ନାହୁଁ ଆଉ, ମିଶି ନାହିଁ ବାହୁ
ରୋମାଞ୍ଚ କରି ଜାତ
ଦୁହେଁ ଦୂରେ ଦୂରେ, ଭିନ୍ନ କରିଛ
ସମାଜ ଦଣ୍ଡ-ଘାତ
ଭେଟି ନାହୁଁ ତାହା ପରେ
ଏଇ ସହକାର ତଳେ

ଜ୍ୟୋତ୍ସ୍ନା ରଜନୀ କେତେ ଥିବ ପାହି
ସେ ଦିନୁଁ ତୋହର ଶିରେ
ପଲ୍ଲବ ତୋର ଉଠିଥିବ ଥରି
କେତେ ବାର ପିକ-ଗିରେ
ଚୂତ ! ତୋର ତଳେ ପୁଣି କେତେ କରେ
କଙ୍କଣ ଥିବ ବାଜି
ଚୁମ୍ବନ-ରାଗେ ହୋଇଥିବ କେତେ
ନାଗରିକା ଓଠ ମାଜି
ବାହୁ ଭିଡ଼ିଥିବ ଗଳେ

କହ ଚୂତ! କହ ସେପରି କି ଆଉ
ଦେଖିଛୁ କାହାରେ ଚକ୍ଷେ
ଗୁରୁ ସୁରାମୟ ସେପରି ପ୍ରଣୟ
ଗଭୀର କାହାର ବକ୍ଷେ ?
ପ୍ରିୟା ସମ ମୋର ପୀରତି-ବିଭୋର
ଦେଖିଛୁ କାହାର ଆଉ ?
ନିବିଡେ ସେପରି କହ ପ୍ରିୟେ ଧରି
ବାନ୍ଧିଛି କିଏ ବାହୁ ?
ମିଶିଅଛି ପ୍ରାଣ ତଳେ
ଏଇ ସହକାର ତଳେ

ସାକ୍ଷୀ ତୁ କହ ମୋହର ପ୍ରଣୟ
ସମାନ ଜଗତେ ନାହିଁ
ମୋର ପ୍ରିୟା ସରି ନାହିଁ ସୁନ୍ଦରୀ
ନାହିଁ ବା ପ୍ରଣୟ-ଦାୟୀ
କ୍ଷଣକର ସୁଖେ ଦରିଦ୍ର ମୁହିଁ
ସମ୍ରାଟ ହୋଇ ଉଠେ
କେହି ପାଇନାହିଁ ଦଣ୍ଡେ ଯା ଦେଲା
ପ୍ରିୟା ମୋର ଓଠ-ପୁଟେ
ସେକଥା କହ ତୁ ଥରେ
ଏଇ ସେହି ତୋର ତଳେ
ଭୁଲିଯିବି ମୁହିଁ, ପ୍ରିୟା ନ ଦେଖିବା
ଦୁଃଖ ଏ ଜୀବନରେ