Wq/or/କବିତା/ ହରିବଂଶ ରାଏ ବଚ୍ଚନ/କବିତା: ଏ ପାରି - ସେ ପାରି

From Wikimedia Incubator

ଏ ପାରି - ସେ ପାରି [1][edit | edit source]

ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ଏ ଜହ୍ନ ନଭେ ଉଦୟ ହୋଇ ଜୀବନର କିଛି ତାପ କମାଏ
ଦୋହଲି ଦୋହଲି ଏ ଶାଖା ସବୁ ମନର କିଛି ଶୋକ ଭୁଲାଏ
କାଲି ଝାଉଁଳି ଯିବାକୁ ଥିବା କଳି ହସି କହେ ରହ ଖୁସିରେ
ଯଉବନର ସନ୍ଦେଶ ଦିଏ ବୁଲ ବୁଲ ରହି ବୃକ୍ଷ ଶିଖରେ
ତୁମେ ମଦିରା ପିଆଲା ଦେବାରୁ ମନଟି ମୋର ବଦଳି ଯାଏ
ସେ ପାରି ମନ ଖୁସି ନିମନ୍ତେ ଜାଣେନି କି କି ସାମଗ୍ରୀ ଥିବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କ ଅଣ ହେବ ।

ସଂସାରେ ରସର ନଦୀ ହୋହିଯାଏ, ରସନା ଦି ବୁନ୍ଦା ପାଏ
ଝିଲିମିଲି ଏ ଜୀବନ ଦୃଶ୍ୟ ନୟନ ଆଗରେ ଦୃଶ୍ୟ ହୁଏ
ସୁର ତାଳମୟୀ ବୀଣା ବାଜୁଛି ଝଙ୍କାର ମୋତେ ତାହାର ମିଳେ
ଏହି ପବନ ମୋର ସୁମନଃ ବାସ କେଉଁଠାକୁ ଉଡେଇ ନିଏ
ଏମିତି ଶୁଣୁଛି ସେ ପାରି ପ୍ରିୟେ ଏହି ସାଧନ ହରଣ ହେବ
ସେତେବେଳକୁ ମାନବ ଚେତନ ଆଧାର ଜାଣେନି କିପରି ହେବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ପିଆଲା ଅଛି ପିଇ ପାରିବା, ଏତିକି ବି ଜ୍ଞାନ ନାହିଁ ଆମର
କହିବାବାଲା କହନ୍ତି କିନ୍ତୁ ଆମେ କର୍ମରେ ସଦା ସ୍ଵାଧୀନ
ଆମେ ଜାଣିଛୁ, କେହି ଜେଣେନି କଲାବାଲା ସବୁ କି ପରାଧୀନ
କହି ତ ପାରିବୁ, କହିକରି ବି ମନ ହାଲୁକା ହୋଇ ପାରିବ
ମାନବ ଅଧିକାର ସମସ୍ତ ସେ ପାରି ଜାଣେନି କେମିତି ଥିବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

କିଛି ବି କରି ନ ଥିଲି ତାର, ତଥାପି ରାସ୍ତାରେ କଣ୍ଟା ବୁଣିଲା
କାନ୍ଧରେ ଭାର ଲଦିଦେଲେ ବି କାନ୍ଦି କାନ୍ଦି ଆମେ ବହନ କଲୁ
ଧ୍ଵଂସ ଜର୍ଜରିତ ସତ୍ୟ ରହିଛି ସ୍ଵପ୍ନ ମହଲ ଭିତରେ ଭରା
ଛାତିରେ ବିକ୍ଷୋଭ ଏମିତି ହେଲା, ଦି ରାତି ସୁଖରେ ଶୋଇ ନ ଥିଲୁ
ଏବେ ତ ଆମେ ସାରା ଜୀବନ ସେ କୃର କଠିନକୁ ଶାପ ଦେଲୁ
ସେ ପାରି ନିୟତି ମାନବ ସାଥେ କି ବ୍ୟବହାର କରି ରହିବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ସହଗମନ ଜୀବନ ସାଥେ ସୁହାଗି ଏମିତି ଘଡି ଆସିବ
ଦିନକରର ସୁନେଲି କିରଣ ତମସା ଭିତରେ ବୁଡି ରହିବ
ନିଜ ପ୍ରିୟତମ ଶବକୁ ଯେବେ ତମସା ଚାଦର ଘୋଡେଇ ଦେବ
ତେବେ ରବି ଶଶୀ ପୋଷା ଏ ପୃଥ୍ବୀ କେତେଦିନ ଖୁସି ମନେଇ ହେବ
ତୋର ମୋର ଏ ଛୋଟ ସଂସାର ସେ ବେଳେ କେଜାଣି କ ଅଣ ହେବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ଚିର ପତ୍ରଝଡା ଏମିତି ହେବ, କୋଇଲି କୁହୁ ଡାକିବ ନାହିଁ
ବୁଲବୁଲ ଗାଇ ଅନ୍ଧକାରରେ ଜୀବନର ଜ୍ୟୋତି ଜାଳିବ ନାହିଁ
ଅଗଣିତ ମୃଦୁ ନବ ପଲ୍ଲବର ସ୍ଵର ସର୍ ସର ଶୁଭିବ ନାହିଁ
ଏହି ରସମୟ ଜୀବନ ଧ୍ଵନିର ଅବସାନ ଯେବେ ହେବ
ଶୁଷ୍କ ଆମର କଣ୍ଠର ଉଦ୍ଗାର କେଜାଣି କେମିତି ହେବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

କାଳର ପ୍ରବଳ ଗୁରୁ ଗର୍ଜନ ଶୁଣି ନିର୍ଝରିଣୀ ନାଚ ଭୁଲିବ
ଝରଣା ଭୁଲିବ ନିଜ ଟଳମଳ ନଦୀ କୁଳୁ କୁଳୁ ଗାନ ଭୁଲିବ
ଗାୟକ ନାୟକ ସେ ସିନ୍ଧୁ କେଜାଣି ନିରବ ହେବା ଚାହିବ
ମୁହ୍ଁ ଖୋଲି ଠିଆ ରହିବେ ଗନ୍ଧର୍ବ ଅପ୍ସରା କିନ୍ନରଗଣ
ପ୍ରାଣ, ସେତେବେଳେ ତୁମ ତନ୍ତ୍ରୀର ତାର କେଜାନି କଅଣ ହେବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ଏ ଆଖି ଆଗରେ ଚମେଲି ହାର ପିନ୍ଧିଥିଲା ଯାହା ମଉଳି ଗଲା
ମାଳି ଲକ୍ଷ କର ଛଡେଇ ନେଉଛି ସୁକୁମାର ଏ ଲତା ଗହଣା
ଦି ଦିନ ମଧ୍ୟରେ ଛାଡି ଚାଲିଯିବ ଉଷାର ସାଢୀ ଲାଲିମା
ଇନ୍ଦ୍ରଧନୁର ସାତ ରଙ୍ଗ ଚିତ୍ର କେତେ ଦିନ ଅବା ରହି ପାରିବ
ଯେବେ ମୂର୍ତ୍ତୀମତି ସତ୍ତାର ଶୋଭା ସୁଷମା ସମସ୍ତ ବିଦାୟ ନେବେ
ସେତେବେଳେ କବି କଳ୍ପିତ ସ୍ଵପ୍ନର ଶୃଙ୍ଗାର କେଜାଣି କଅଣ ହେବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ଯେତେ ପର୍ଯ୍ୟନ୍ତ ଆଖି ପାଉଛି ତମ ସାଗରରେ ଢେଉ ଖେଳୁଛି
ତଥାପି ଠିଆ ସେଠାରେ ହୋଇ ଆମ ସଭିଙ୍କୁ କେହି ଡାକୁଛି
ଆଜି ଯାଉଛି ମୁଁ , ତମେ ଆସିବ କାଲି ପରଦିନ ସାଙ୍ଗ ସାଥୀ ସହ
କାନ୍ଦି ବୋବାଳି ଧରା ରହିଯିବ, ଯିବାକୁ ଯାହାର ଥିବ ସେ ଯିବ
ମୋ ମନ ଡଗମଗ ହେଉଛି ଶୁଣି କୂଳର ଡାକୁଆ ସ୍ଵର
ଏକାକୀ ଯେବେ ପହଞ୍ଚିବି ମୁଁ ମଝି ଦରିଆରେ କଅଣ ହେବ
ଏ ପାରି, ପ୍ରିୟେ ମଦିରା ଅଛି, ତୁମେ ବି ଅଛ, ସେ ପାରି କେଜାଣି କଅଣ ହେବ ।

ଆଧାର[edit | edit source]

  1. https://web.archive.org/web/20121120202316/http://geeta-kavita.com/hindi_sahitya.asp?id=89