Wq/or/ରଚନାବଳୀ/ମାୟାଧର ମାନସିଂହ/କୁଳଟା ରାଧା

From Wikimedia Incubator

ଯାବଟ ଘୋଡ଼ାଇ ମେଘ ବରଷେ ବାରି,
ଘଡ଼ଘଡ଼ି ପଡ଼େ ତାଳବନ ହୁଙ୍କାରି ।
ଘୋର ବେଗେ ଅଣଚାଶ ବହେ ପବନ,
ବନପକ୍ଷୀ ଗ୍ରାମେ ପଶି ରଖେ ଜୀବନ ।୧।

ଅସର ଧାରାରେ ପଡ଼େ ଗଗନୁ ଜଳ,
ଠକ ଠକ ପଡ଼େ ପଥେ କୁଆ ପଥର ।
ଯାବଟ ଦାଣ୍ଡରେ ବହେ ବୁଡ଼ାଣ ପାଣି,
ସାରା ଦାଣ୍ଡେ ନାହିଁ କାହିଁ ଜନ ପରାଣୀ ।୨।

ସାରା ଗ୍ରାମେ ଶୁଭେ ଖାଲି ମେଘ ବରଷା,
ଘରେ ଘରେ ଡାକ କେବେ ହେବ ଫରଷା ।
ଏକାଳେ ଜଟିଳା ଘରେ ଜଟିଳା ନିଜେ,
ଡାକିବାର ଶୁଣାଗଲା ‘ରାଧା ନାହିଁ ଯେ ।’ ।୩।

‘ରାଧା ନାହିଁ, ରାଧା ନାହିଁ, ଗଲା ସେ କାହିଁ ?’
ଘରେ ଘରେ ହେଲା ଖୋଜା ମିଳଇ ନାହିଁ ।
‘ଏ ରାତି ବରଷା ରେ କାହିଁ ସେ ଗଲା ?
ଜାଳ ଦୀପ ବାରି ଆଡ଼ ଖୋଜ କୁଟିଳା ।’ ।୪।

‘ଆଲୋ ମା, ଦୀପ କି ରହେ ଏତେ ବତାସେ ?
ବରଷା ଚିକ୍କଣ ଭୂମେ ଗୋଡ଼ ଯେ ଖସେ ।
କାହିଁ ଲୋ ଖୋଜିବା ତାକୁ ? ମରିଲେ ମରୁ
ପୋଡ଼ାମୁହୀଁ ସାଥେ ଘରୁ ବିପତ୍ତି ସରୁ ।’ ।୫।

--କହି ଶୋଇବାକୁ ଯାଉଁ ଦେଇ କିଳଣୀ,
ସହସା କାନରେ ବାଜେ ମୁରଲୀ ଧ୍ୱନି ।
ମୁହଁ ମୋଡ଼ି ବୁଢ଼ୀ ଚାହେଁ କୁଟିଳା ମୁଖେ,
କୁଟିଳା ପଡ଼ଇ ବସି ସରମ ଦୁଃଖେ ।୬।

ନ ପାହୁଁ ରଜନୀ ସାରା ଯାବଟେ ହୁରି,
‘ରାଧା ନାହିଁ ଘରେ’ – ଡାକେ ଜଟିଳା ବୁଢ଼ୀ ।
କୁଟିଳା ଜଗିଛି ବସି ଯମୁନା – ବାଟ,
ତା’ ପାଶେ ବସିଛି ଯେତେ ଗୋପିନୀ ହାଟ ।୭।

କୁହାଳୀ ତରୁଣୀ ଏକ ସଖୀରେ ଡାକି,
କହଇ – “ଦେଖିବା ଆଉ କି ଅଛି ବାକୀ ?”
ଥର ଥର କରି ଏହି ନାଟ ଲାଗିଛି,
ଆଚ୍ଛା ଶାଶୁ ଆଚ୍ଛା କୁଳବୋହୂ ପାଇଛି ।୮।

ଆସ ଯିବା – ବୋଲୁଁ, ଦୂରେ ଦିଶଇ ରାଈ,
ଲାଜେ ମୁହଁ ଟେକି ପୁଣି ତଳେ ପୋତଈ ।
ଯମୁନା ସ୍ନାହାନେ ଓଦା ଦେହ-ବସନ,
ସ୍ତନଭାରେ ବାସଭାରେ ମଠ ଗମନ ।୯।

ନିକଟେ ନ ଆସୁଁ, ଭୋଖୀ ବାଘୁଣୀ ପରି,
ଧାଁଇଲା କୁଟିଳା ପଛେ ଲଗୁଡ଼ ଧରି ।
ଜଟିଳା ଚଳଇ ଗୋପ, ଗୋପିନୀ ମେଳେ
ଆସିବାକୁ ଥିଲା ତାକୁ ଏତିକି ବେଳେ ? ।୧୦।

ପଣତ ଓଟାରି ବୁଢ଼ୀ ଆଣିଲା ଭିଡ଼ି,
ପଛରେ ନଣନ୍ଦ ନାନା କଥା ଫୋପାଡ଼ି ।
ଆସଇ, ସାରାଟା ଗାଆଁ କାମିନୀ ଆଗେ,
ଊଭା ରାଧା ଦୋଚାରୁଣୀ, ସରମେ ରାଗେ ।
ମୁହଁ ନଇଁ ଯାଏ ତଳେ, ପଦର ବଳା,
ମହାଲାଜେ ପଥରଜେ ସରମ ଗଲା ।୧୧।

ସାରାଟି ଗାଆଁର ଆଖି ମୁଖରେ ତାର,
ଅପମାନେ ବହିଯାଏ ଲୋତକ ଧାର ।
ଯେତେସବୁ ଯାବଟର ସାଧବ ସତୀ,
ଦେଖୁଥାନ୍ତି କଉତୁକେ କୁଳଟା ଗତି ।୧୨।

ଏ ଗୁରୁ ସରମ ମାଥେ ବହି ଶ୍ରୀମତୀ,
ଆୟତ ନୟନ-ଲୁହେ ତିନ୍ତାଇ ଛାତି ।
ହୃଦୟେ ନିବିଡ଼େ ଡାକେ ସତୀ ନବୀନା,
“ହେ ସଖା, ହେ ଶ୍ୟାମ, ସବୁ ତୋ ପାଇଁ ସିନା ।” ।୧୩।

ଦଳେ ଦଳେ ଗୋପାଳୁଣୀ ଚଳିଲେ ଘରେ,
ଟାହୁଲି କହନ୍ତି କେତେ ଏକ ଆନରେ ।
କବି କିନ୍ତୁ ନ ଚାହିଁଲା ସେ ସତୀ ଜନେ,
ପ୍ରଣତି ବିହିଲା ଦୋଚାରିଣୀ ଚରଣେ ।୧୪।