Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୬

From Wikimedia Incubator
ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୨୬

କବୀର ଦୋହା ଗୁଚ୍ଛ ୨୬ [1][edit | edit source]

ଯୋଡିହେଲି ମୁଁ ସେହି 'ଏକ'ରେ, ସବୁ ହେଲୁ ଏକାକାର,
ସବୁ ଠାରେ ମୁଁ, ମୋ ଠାରେ ସବୁ, ନାହିଁ କେ ଦ୍ଵିତୀୟ ଥର ।୧।

ତ୍ରିଗୁଣ ମୋର ହେଲା ହରଣ, ସଦ୍ଗୁରୁ ହେଲେ ସହାୟ,
ଘଟରେ ମୋର ନାମ ପ୍ରକାଶ, ବାକି ଓଲଟି ବିଦାୟ ।୨।

କବୀର ଭ୍ରମ ନ ଭଜ ଆଉ, ଧରେ ଯେ ଅନେକ ଭେକ,
ସାଇଁ ପରିଚୟ ନ ହେବା ଯାଏ, ଅନ୍ତରେ ଭ୍ରମ ଅନେକ ।୩।

ଆତ୍ମାନୁଭବ ଜ୍ଞାନ ବିଷୟ, ପ୍ରଶ୍ନର ଉତ୍ତର ନାହିଁ,
ଘୁଙ୍ଗା ଯେପରି ଗୁଡର ସ୍ଵାଦ ଜାଣେ, କହି ପାରେ ନାହିଁ ।୪।

ଘୁଙ୍ଗାର ଭଙ୍ଗି ଅନ୍ୟ ଗୋଟିଏ ଘୁଙ୍ଗା ଦେଖି ଜାଣି ପାରେ,
ଜ୍ଞାନୀର ସୁଖ ଅନ୍ୟ ଗୋଟିଏ ଜ୍ଞାନୀ ଚିହ୍ନି ବୁଝି ପାରେ ।୫।

ସତ୍ୟ ପ୍ରଶଂସା, ପ୍ରଭୁ ପ୍ରଶଂସା କରି ସଂସାରି ଲେଖିବ,
ଆତ୍ମ ଦୃଷ୍ଟି କଥା ନ ଲେଖି ହୁଏ, ଚୌଦିଗେ ପ୍ରଭୁ ପାଇବ ।୬।

ଲେଖା ଲେଖିର କଥା ନୁହେଁ ଏ ଦେଖା ଦେଖିର କଥା,
ବର କନ୍ୟାର ମିଳନ ପରେ, ଫିକା ବରଯାତ୍ରୀ କଥା ।୭।

ପୂର୍ଣ୍ଣତା ପ୍ରାପ୍ତ ପରେ ରିକ୍ତତା, ରିକ୍ତତା ପରେ ସମ୍ପୂର୍ଣ୍ଣ,
ବ୍ରହ୍ମ ଦର୍ଶନ ପରେ ରହେନି, ପୂର୍ଣ୍ଣ, ରିକ୍ତ ଶବ୍ଦମାନ ।୮।

ସାଧୁର ଗୁଣ ହେବା ଉଚିତ, ବାଉଁଶ କୁଲା ଯେପରି,
ଭଲ ଶସ୍ୟକୁ ରଖିଦିଏ ସେ, ଅଗାଡି ଦିଏ ଉଡେଇ , ।୯।

ଅବିଗୁଣକୁ ଆଡେଇ ଦେଇ ସୁଗୁଣ ଗ୍ରହଣ କର,
ପୁଷ୍ପେ ମଧୂପ ସମ ଗ୍ରହଣ, ପରମାର୍ଥ ଚିହ୍ନା କର ।୧୦ ।

ଛେନା ପାଣିରୁ ହଂସ କେବଳ ପାଣି ଛାଡି ଛେନା ଖାଏ,
ଅସାର ଛାଡି ସାର ନିଏ ଯେ, ସଂସାରରୁ ପାରି ହୁଏ ।୧୧।

ଦୁଗ୍ଧ ରୁପ ସତ ନାମ ଅଟେ, ନୀର ରୁପ ବ୍ୟବହାର,
ହଂସ ରୁପୀ କେହି ସାଧୁ ଥାଏ, ଛାଣିବା କାମ ଯାହାର ।୧୨।

ସମ ଦୃଷ୍ଟିର ସଦ୍ ଗୁରୁ କଲି, ଦେଲେ ଅବିଚଳ ଜ୍ଞାନ,
ଯେ ଦିଗେ ଦେଖେ ଗୋଟିଏ ଦେଖେ, ଦ୍ଵିତୀୟର ନାହିଁ ସ୍ଥାନ ।୧୩।

ସମ ଦୃଷ୍ଟିକୁ ଚିହ୍ନିବ ଯେବେ, ଶୀତଳ ସମତା ହୁଏ,
ପ୍ରାଣୀମାନଙ୍କ ଆତ୍ମା ଦେଖିଲେ, ସବୁ ଏକା ଦେଖାଯାଏ ।୧୪।

ଆଧାର[edit | edit source]

  1. http://anahad-naad.blogspot.in/2011/05/kabirs-dohe-2.html