Wq/or/ଉତ୍କଳ ସନ୍ତାନ

From Wikimedia Incubator
< Wq‎ | or
Wq > or > ଉତ୍କଳ ସନ୍ତାନ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
କାହିଁ ପାଇଁ ଏଡ଼େ ଭୀରୁ !
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ?
ତୋ ପୁର୍ବ ପୁରୁଷେ ବୀର ପଣିଆରେ
ଲଭିଥିଲେ କେତେ ଖ୍ୟାତି
ହାକିମ ନିକଟେ ଦୁଃଖ କହିବାକୁ
କିମ୍ପା ଥରେ ତୋର ଛାତି ?

ତୋ ପୁର୍ବ ପୁରୁଷେ ଜୟ କରିଥିଲେ
ଗଙ୍ଗାଠାରୁ ଗୋଦାବରୀ
ତାଙ୍କରି ଔରସେ ଜାତ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି ?

ତୁ ମନେ ଭାବୁଛୁ ତୋଷାମଦ କରି
ବଢ଼ାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ ।

ଜାତିର ଉନ୍ନତି ହେବକିରେ ଭାଇ
ସ୍ଵାର୍ଥକୁ ଜଗତ ମଣି ?
ଗୋଦର ଗୋଡରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି ?

ଜାତିର ଉନ୍ନତି ସେ କାହିଁ କରିବ
ସ୍ଵାର୍ଥେ ଯାର ବ୍ୟସ୍ତ ମନ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବା ପ୍ରାଣ ?